ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ବିଶ୍ବର ସବୁ ଦେଶ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହାକୁ ନେଇ ନିବେଶକମାନେ ବେଶ୍ ଭୟଭୀତ ହୋଇପଡ଼ିଛନ୍ତି। ଶୁଳ୍କରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ସେୟାରକୁ ସେମାନେ ବିକ୍ରି କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ୧୩୯୦ ପଏଣ୍ଟ ହ୍ରାସ ପାଇ ୭୬,୦୨୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୫୩ ପଏଣ୍ଟ ହ୍ରାସ ପାଇ ୨୩,୧୬୫ ପଏଣ୍ଟରେ ବନ୍ଦ ହୋଇଛି।
ସେନ୍ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେୟାର ବଜାରରେ ରିଅଲ ଇଷ୍ଟେଟ୍, ଆଇଟି ଓ ଆର୍ଥିକ ସେବା କ୍ଷେତ୍ର ଉପରେ ଅଧିକ ଚାପ ସୃଷ୍ଟି ହୋଇଥିଲା। ଏହି କ୍ଷେତ୍ରଗୁଡ଼ିକର ସୂଚୀରେ ୨.୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ନିଫ୍ଟିରେ ଏଚ୍ସିଏଲ୍ ଟେକ୍, ଭାରତ ଇଲେକ୍ଟ୍ରୋନିକ୍ସ, ବଜାଜ ଫିନ୍ସର୍ଭ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ହିଣ୍ଡାଲ୍କୋର ସେୟାର ମୂଲ୍ୟ କମ୍ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଇଣ୍ଡ୍ସଇଣ୍ଡ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ସନ୍ଫାର୍ମା, ଏଚ୍ସିଏଲ୍ ଟେକ୍, ଇନ୍ଫୋସିସ୍ ଓ ବଜାଜ ଫିନ୍ସର୍ଭର ସେୟାର ମୂଲ୍ୟ ହ୍ରାସ ପାଇଛି।