ମୁମ୍ବାଇ: ବିଶ୍ବସ୍ତରରେ ଷ୍ଟକ୍ କାରବାର ମାନ୍ଦା ରହିବା ପ୍ରଭାବରେ ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୭୩ ପଏଣ୍ଟ ହ୍ରାସ ପାଇ ୮୧,୧୮୬ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୬୨ ପଏଣ୍ଟ ହ୍ରାସ ସହ ୨୪,୬୮୩ ପଏଣ୍ଟରେ ବନ୍ଦ ହୋଇଛି। ଏଚ୍ଡିଏଫ୍ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି। ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଚିତ୍ର ସାମ୍ନାକୁ ଆସିପାରୁ ନ ଥିବାରୁ ନିବେଶକମାନେ ସନ୍ଦୀହାନ ରହିଛନ୍ତି। କିଛି ନିବେଶକ ଲାଭ ପାଇବା ଆଶାରେ ସେୟାର ବିକ୍ରି କରୁଛନ୍ତି।
ବିଶ୍ବସ୍ତରରେ ଘଟିଥିବା କେତେକ ଘଟଣା ଷ୍ଟକ୍ କାରବାରକୁ ପ୍ରଭାବିତ କରିଛି। ରେଟିଂ ଏଜେନ୍ସି ମୁଡିସ୍ ପକ୍ଷରୁ ଆମେରିକା ସରକାରଙ୍କ ରେଟିଂ ହ୍ରାସ କରାଯିବାର ନକାରାତ୍ମକ ପ୍ରଭାବ ବଜାର ଉପରେ ପଡ଼ିଛି। ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନେ ମଧ୍ୟ ସତର୍କତାର ସହ କାରବାର କରୁଛନ୍ତି। ସେମାନେ ଚଳିତ ମାସ ୧୯ରେ ୫୨୬ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଘରୋଇ ସଂସ୍ଥାଗତ ନିବେଶକମାନେ ମଧ୍ୟ ୨୮୩ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ସେନାର ଅପରେସନ ସିନ୍ଦୂର କାର୍ଯ୍ୟକ୍ରମର ପରବର୍ତ୍ତୀ ସମୟରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ୨୭.୩ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଥିଲା। କିଛି ଷ୍ଟକ୍ର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏବେ ସେଗୁଡ଼ିକରେ ସୁଧାର ଘଟୁଛି। ଏଚ୍ଡିଏଫ୍ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମାରୁତି ଓ ବଜାଜ ଫାଇନାନ୍ସ ଭଳି ବଡ଼ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବାରୁ ସେନ୍ସେକ୍ସରେ ହ୍ରାସ ଘଟିଛି।