ଷ୍ଟକ ବଜାରକୁ ଫେରିଲା କରୋନା ଭୟ, ସେନ୍‌ସେକ୍ସ ୧,୬୮୮ ପଏଣ୍ଟ୍‌ ଖସିଲା

ନିବେଶକ ହରାଇଲେ ସାଢ଼େ ୭ ଲକ୍ଷ କୋଟି

ମୁମ୍ବାଇ : କରୋନା ଭୂତାଣୁର ନୂଆ ଭୟଙ୍କର ପ୍ରଜାତି ଚିହ୍ନଟ ହୋଇଥିବା ଖବର ପ୍ରଚାରିତ ହେବା ପରେ ଷ୍ଟକ ବଜାରରେ ନିବେଶ କରିଥିବା ନିବେଶକମାନେ ଶୁକ୍ରବାର ଦିନ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ପୁଣି ଥରେ ଲକ୍‌ଡାଉନ୍ ଭଳି କଠୋର କଟକଣା ଫେରିବାର ଆଶଙ୍କା ଥିବାରୁ ସେମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକିବା ଆରମ୍ଭ କରିଥିଲେ। କେବଳ ଭାରତ ନୁହେଁ ସାରା ବିଶ୍ବର ସମସ୍ତ ପ୍ରମୁଖ ଷ୍ଟକ ବଜାରରେ ନିବେଶକମାନେ ଶୁକ୍ରବାର ଦିନ ସେୟାର ବିକ୍ରି କରିଛନ୍ତି। ସେଥିପାଇଁ ଶୁକ୍ରବାର ଦିନ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୧,୬୮୮ ପଏଣ୍ଟ୍ ହ୍ରାସ ପାଇ ୫୭,୧୦୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ସାତ ମାସ ଭିତରେ ସେନ୍‌ସେକ୍ସରେ ଏଭଳି ବଡ଼ ଧରଣର ହ୍ରାସ କେବେ ଦେଖିବାକୁ ମିଳିନଥିଲା।

ପାଞ୍ଚ ଦିନ ପୂର୍ବେ ନଭେମ୍ବର ୨୨ରେ ସେନ୍‌ସେକ୍ସ ୧୧୭୦ ପଏଣ୍ଟ୍‌ ହ୍ରାସ ପାଇଥିଲା। ସେହିଦିନ ନିବେଶକମାନେ ଷ୍ଟକ ବଜାରରେ ଆଠ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଶୁକ୍ରବାର ଦିନ ସେନ୍‌ସେକ୍ସରେ ହୋଇଥିବା ହ୍ରାସ ଯୋଗଁ ନିବେଶକମାନେ ଆଉ ୭.୩୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଶୁକ୍ରବାର ଦିନ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୫୧୦ ପଏଣ୍ଟ୍‌ ହ୍ରାସ ୧୭,୨୦୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପ୍ରାୟ ସବୁ ସୂଚୀ ହ୍ରାସ ସହ ବନ୍ଦ ହୋଇଛି। ରିଅଲ ଇଷ୍ଟେଟ୍‌ କଂପାନିର ସେୟାର ଅଧିକ ହ୍ରାସ ପାଇଥିବା ବେଳେ ବ୍ୟାଙ୍କ, ଆର୍ଥିକ ସେବା, ଧାତବ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କଞ୍ଜ୍ୟୁମର ଡ୍ୟୁରେବଲ୍ ଏବଂ ତୈଳ ଓ ଗ୍ୟାସ୍‌ କଂପାନିଗୁଡ଼ିକର ସେୟାର ମଧ୍ୟ ହ୍ରାସ ପାଇଛି। କଂପାନି ମଧ୍ୟରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ଟାଟା ମୋଟର୍ସ, ହିଣ୍ଡାଲ୍‌କୋ, ଆଦାନି ପୋର୍ଟସ୍‌, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଭାରତ ପେଟ୍ରୋଲିୟମ୍, ମାରୁତି ସୁଜୁକି, ଟାଟା ଷ୍ଟିଲ୍, ବଜାଜ ଫାଇନାନ୍ସ, ଏନ୍‌ଟିପିସି, ଓଏନ୍‌ଜିସି ଓ ଟାଟା କଞ୍ଜ୍ୟୁମର୍ସର ସେୟାର ମୂଲ୍ୟ ୫-୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ସିପ୍‌ଲା, ଡକ୍ଟର ରେଡିସ୍‌ ଲ୍ୟାବ୍, ଡଭିସ୍ ଲ୍ୟାବ୍ ଓ ନେସ୍‌ଲେ ଇଣ୍ଡିଆର ସେୟାର ମୂଲ୍ୟରେ ବୃଦ୍ଧି ହୋଇଛି।ଆଜି କେବଳ ଭାରତ ନୁହେଁ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସେୟାର କାରବାର ମାନ୍ଦା ରହିଥିଲା। ୟୁରୋପୀୟ ଷ୍ଟକ୍ ସୂଚୀ ୨.୭% ହ୍ରାସ ସହ ବନ୍ଦ ହୋଇଛି। ଜର୍ମାନି ଓ ବ୍ରିଟେନ୍‌ର ସେୟାର ବଜାର ସୂଚୀ ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର