ମୁମ୍ବାଇ: ଗତ ତିନିଟି କାରବାର ଦିନରେ ସେନ୍‌ସେକ୍ସ ଲଗାତାର ଭାବେ ହ୍ରାସ ପାଉଛି। ଇତି ମଧ୍ୟରେ ସେଥିରେ ୧୬୦୮ ପଏଣ୍ଟ୍‌ ହ୍ରାସ ହୋଇଥିବାରୁ ନିବେଶକମାନେ ୫.୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତ ସୋମବାର ୨୪୨ ପଏଣ୍ଟ୍‌ ଖସିଥିବା ସେନ୍‌ସେକ୍ସ ବୁଧବାର ୭୯୬ ପଏଣ୍ଟ୍‌ ଓ ଗୁରୁବାର ୫୭୦ ପଏଣ୍ଟ ହ୍ରାସ ପାଇଛି। ମଙ୍ଗଳବାର ଗଣେଶ ପୂଜା ଥିବାରୁ ବଜାର ବନ୍ଦ ରହିଥିଲା। ତିନି ଦିନରେ ବମ୍ବେ ଷ୍ଟକ ବଜାରର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ) ୩୧୮ ଲକ୍ଷ କୋଟି ଟଙ୍କାରୁ କମ୍ ହୋଇଛି। ଗତ ସପ୍ତାହରେ ସେନ୍‌ସେକ୍ସରେ ଏକ ଐତିହାସିକ ରେକର୍ଡ କରିଥିଲା। ଲଗାତାର ଭାବେ ୧୧ ଦିନ ପର୍ଯ୍ୟନ୍ତ ବୃଦ୍ଧି ଘଟିବାରୁ ୧୬ ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଥିଲା।

Advertisment

ଚଳିତ ସପ୍ତାହରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଅଶୋଧିତ ତୈଳ ମହଙ୍ଗା ହେବା, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ କାନାଡା ସହିତ କୂଟନୈତିକ ଉତ୍ତେଜନା ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଛି। କିଛି ନିବେଶକ ଲାଭ ପାଇବା ଆଶାରେ ସଙ୍କଟ ଦ୍ବାରା ପ୍ରଭାବିତ ହେବାକୁ ଥିବା କଂପାନିର ସେୟାର ବିକ୍ରି କରୁଛନ୍ତି। ବିଦେଶୀ ନିବେଶକମାନେ ମଧ୍ୟ ବଜାରରୁ ୫୨୧୩ କୋଟି ଟଙ୍କାର ‌ପାଣ୍ଠି ପ୍ରତ୍ୟାହାର କରିଛନ୍ତି।