ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ ନିବେଶକମାନଙ୍କୁ ବଡ଼ ଧକ୍କା ଦେଇଛି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଥିବାରୁ ବିଶ୍ବର ବିଭିନ୍ନ ଦେଶରେ ସେୟାର ବିକ୍ରି କରୁଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଧାରା ମଧ୍ୟ ଅବ୍ୟାହତ ରହିଛି। ସୋମବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ସେନ୍ସେକ୍ସ ଆଜି ୧,୭୪୭ ପଏଣ୍ଟ୍ ଭଳି ବଡ଼ ଧରଣର ହ୍ରାସ ସହ ୫୬,୪୦୬ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ କିଛି ମାସ ଭିତରେ ସେନ୍ସେକ୍ସରେ ଏହା ହେଉଛି ସବୁଠୁ ବଡ଼ ଦୈନିକ ହ୍ରାସ। ଦୁଇ ଦିନରେ ସେନ୍ସେକ୍ସ ୨୫୨୦ ପଏଣ୍ଟ୍ ହରାଇସାରିଲାଣି। ସେନ୍ସେକ୍ସରେ ହୋଇଥିବା ହ୍ରାସ ଯୋଗୁଁ ନିବେଶକମାନେ ଆଜି ୮.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ମଧ୍ୟ ଆଜି ୫୩୨ ପଏଣ୍ଟ୍ ହ୍ରାସ ପାଇ ୧୬,୮୪୩ ପଏଣ୍ଟ୍ରେ ବନ୍ଦ ହୋଇଛି।
ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି, ଅଧିକାଂଶ ଦେଶରେ ଦରଦାମ୍ ସ୍ଥିତି ବେଲଗାମ ରହିବା, ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ପାଇଁ ବିଚାର କରିବା ଭଳି ବହୁ କାରଣ ଯୋଗୁଁ ବିଶ୍ବର ସମସ୍ତ ପ୍ରମୁଖ ଷ୍ଟକ ବଜାରରେ କାରବାର ଅସ୍ଥିର ରହିଛି। ତାହାର ପ୍ରଭାବ ଭାରତରେ ଥିବା ଦୁଇ ଷ୍ଟକ ବଜାର-ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ପ୍ରତିଫଳିତ ହୋଇଛି। ରୁଷିଆ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିବା ଆଶଙ୍କା ଥିବାରୁ ଅଶୋଧିତ ତୈଳ ବଜାରରେ ମଧ୍ୟ ନିଆଁ ଲାଗିଯାଇଛି। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୨୦୧୪ ପରେ ପ୍ରଥମ ଥର ଲାଗି ୧୦୦ ଡଲାର ଆଡ଼କୁ ଅଗ୍ରସର ହୋଇଛି।
ସୋମବାର ଦିନ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ନିବେଶକମାନେ ପିଏସ୍ୟୁ ବ୍ୟାଙ୍କ ଓ ଧାତବ ସଂସ୍ଥାଗୁଡ଼ିକର ସେୟାରକୁ ଅଧିକ ବିକ୍ରି କରିଥିଲେ। ଏହାର ପ୍ରଭାବରେ ଜେଏସ୍ଡବ୍ଲୁ ଷ୍ଟିଲ୍, ଏଚ୍ଡିଏଫ୍ସି ଲାଇଫ୍, ଟାଟା ଷ୍ଟିଲ୍, ଟାଟା ମୋଟର୍ସ ଓ ଏଚ୍ଡିଏଫ୍ସିର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହିପରି, ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ରେ ଟାଟା ଷ୍ଟିଲ୍, ଏସ୍ବିଆଇ, ଆଇସିଆଇସିଆଇ ବ୍ୟାଙ୍କ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।