ସେନ୍‌ସେକ୍ସରେ ୧୫୬୪ ପଏଣ୍ଟ୍‌ ବୃଦ୍ଧି

ନିବେଶକଙ୍କୁ ୫.୬୮ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ : ଷ୍ଟକ ବଜାରରେ ନିବେଶକମାନେ ମନଖୋଲି କାରବାର କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୧୫୬୪ ପଏଣ୍ଟ୍‌ ବୃଦ୍ଧି ପାଇ ୫୯,୫୩୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ୨୦୨୨ରେ ଏହା ସେନ୍‌ସେକ୍ସରେ ଦ୍ବିତୀୟ ଦୈନିକ ସର୍ବାଧିକ ବୃଦ୍ଧି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୫.୬୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ଆଜି ୪୪୬ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୭୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଭାରତରେ ଷ୍ଟକ ବଜାର କାରବାର ଆରମ୍ଭ ହେବା ପୂର୍ବରୁ ୟୁରୋପ ଓ ଏସିଆର ଅନ୍ୟ ଯେଉଁ ଷ୍ଟକ ବଜାରଗୁଡ଼ିକ ଆଗୁଆ ଖୋଲିଥିଲା ସେଠାରେ କାରବାର ଜବରଦସ୍ତ ରହିଥିଲା। ତାହାର ପ୍ରଭାବରେ ଭାରତୀୟ ନିବେଶକମାନେ ମଧ୍ୟ ବିଭିନ୍ନ ସଂସ୍ଥାର ସେୟାର କିଣିଥିଲେ। ସେଥିପାଇଁ ‌ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟିରେ ଆଜି ବୃଦ୍ଧି ଘଟିଛି।

ବୁଧବାର ଦେଶର ଜିଡିପି ଅଭିବୃଦ୍ଧି ତଥ୍ୟ ପ୍ରକାଶ ପାଇବାକୁ ଯାଉଛି। ତାହାକୁ ମଧ୍ୟ ନିବେଶକମାନେ ସେୟାର କିଣାକିଣି ବେଳେ ବିଚାରକୁ ନେଇଛନ୍ତି। ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ବଜାଜ ଫିନ୍‌ସର୍ଭ, ବଜାଜ ଫାଇନାନ୍ସ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଟେକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଓ ଟାଟା ଷ୍ଟିଲ୍ ସେୟାର ମୂଲ୍ୟ ବଢ଼ିଛି। ରିଅଲ ଇଷ୍ଟେଟ୍‌ ଠାରୁ ଆରମ୍ଭ କରି ଫାଇନାନ୍ସ, ଶକ୍ତି, ତୈଳ ଓ ଗ୍ୟାସ୍, ବ୍ୟାଙ୍କ ଓ ୟୁଟିଲିଟି କଂପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ିଛି।

ସମ୍ବନ୍ଧିତ ଖବର