ସେନ୍‌ସେକ୍ସରେ ହ୍ରାସ, ଟଙ୍କା ଦୁର୍ବଳ: ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ: ବମ୍ବେ ଷ୍ଟକ ବଜାରରେ ଆଜି ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୫୬୮ ପଏଣ୍ଟ୍‌ ହ୍ରାସ ପାଇ ୫୫,୧୦୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଫଳରେ ନିବେଶକମାନେ ଆଜି ଦୁଇ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୫୩ ପଏଣ୍ଟ୍‌ ହ୍ରାସ ପାଇ ୧୬,୪୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଅନ୍ୟ ପକ୍ଷରେ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଡଲାର କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଏକ ଡଲାର ମୂଲ୍ୟ ୭୭ ଟଙ୍କା ୭୩ ପଇସା ହୋଇଯାଇଛି। ଷ୍ଟକ ବଜାରରେ ନିବେଶକମାନେ ସେୟାର ବିକ୍ରି କରିବା, ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ଓ ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଛି। ଇଣ୍ଟରବ୍ୟାଙ୍କ ଏକ୍ସଚେଞ୍ଜ୍‌ ବଜାରରେ ଏକ ଡଲାର ମୂଲ୍ୟ ୭୭ ଟଙ୍କା ୭୨ ପଇସା ରହିଛି। କାରବାର ଶେଷ ବେଳକୁ ଅବଶ୍ୟ ଏହି ମୂଲ୍ୟ ୭୭ ଟଙ୍କା ୬୬ ପଇସାରେ ପହଞ୍ଚିଛି। ଚୀନ୍ ଓ ଭାରତ ଅଧିକ ତେଲ କିଣୁଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୨୦ ଡଲାରକୁ ବୃଦ୍ଧି ପାଇଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍ ୧୧୯.୦୭ ଡଲାର ରହିଛି।

ସମ୍ବନ୍ଧିତ ଖବର