ଭାରତୀୟ ଷ୍ଟକ ବଜାରରେ ଉତ୍ସାହ, ପୁଣି ୩୩ ହଜାର ପଏଣ୍ଟ ଟପିଲା ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ଉତ୍ସାହ ପରିଲକ୍ଷିତ ହୋଇଛି । ବିଏସଇ ସେନସେକ୍ସ ଆଜି ପୁଣି ଥରେ ୩୩ ହଜାର ପଏଣ୍ଟକୁ ଟପିଯାଇଛି । ସେହିପରି ଏନଏସଇ ନିଫଟୀ ମଧ୍ୟ ବୃଦ୍ଧି ପାଇଛି । ଆଜି ଉଭୟ ସୂଚକାଙ୍କ ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି । ଆଜି ସେନସେକ୍ସ ୯୯୭ ପଏଣ୍ଟ ବୃଦ୍ଧି ସହ ୩୩୭୧୭.୪୫ ପଏଣ୍ଟ ରେ ବନ୍ଦ ହୋଇଛି । ନିଫଟି ୩୦୬ ପଏଣ୍ଟ ବୃଦ୍ଧିପାଇ  ୯୮୫୯.୯୦ ପଏଣ୍ଟରେ ବନ୍ଦ ହୋଇଛି ।

ବିଶ୍ୱରେ କରୋନା ଭାଇରସର ପ୍ରଭାବୀ ଚିକିତ୍ସା ବାହାରିବାର ଆଶା ମଧ୍ୟରେ ସାରା ବିଶ୍ୱର ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ଆମେରିକୀୟ କମ୍ପାନି ଜିଲେଡ ଦ୍ୱାରା କରୋନା ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଥିବା ରେମଡେସିବିର ଔଷଧର ସଫଳତା ଯୋଗୁଁ ନୂଆ ଆଶା ସୃଷ୍ଟି ହୋଇଛି । ଏହି ଔଷଧ ଦ୍ୱାରା ରୋଗୀମାନେ ଆରୋଗ୍ୟ ଲାଭ କରୁଥିବା ଜଣାପଡ଼ିବା ପରେ ଉତ୍ସାହ ଦେଖାଦେଇଛି ।

ଗତ ମାର୍ଚ୍ଚ ମାସରେ ଭାରତୀୟ ଷ୍ଟକ ବଜାରରେ ଅଭୁତପୂର୍ବ ହ୍ରାସ ପରିଲକ୍ଷିତ ହୋଇଥଲା । ସେନସେକ୍ସ ଓ ନିଫଟି ପ୍ରାୟ ୨୩ ପ୍ରତିଶତ ହ୍ରାସ ପାଇଥିଲେ । କିନ୍ତୁ ଏପ୍ରିଲରେ ସ୍ଥିତିରେ ସୁଧାର ଆସିଛି ଓ ସୂଚକାଙ୍କ ଗୁଡ଼ିକ ୧୪ ପ୍ରତିଶତ ବୃଦ୍ଧି ପାଇଛନ୍ତି ।

ସମ୍ବନ୍ଧିତ ଖବର