ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି । ସକାଳୁ ସେନସେକ୍ସ ଓ ନିଫଟି ହ୍ରାସ ସହ କାରବାର ଆରମ୍ଭ କରିଥିବାବେଳେ ବନ୍ଦ ହେବାବେଳକୁ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହାର କାରଣ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବୟାନ ବୋଲି କୁହାଯାଉଛି ।
ଆଜି ସକାଳୁ ସେନ୍ସେକ୍ସ ୮୦୦ ପଏଣ୍ଟ ଓ ନିଫ୍ଟି ୨୩୦ ପଏଣ୍ଟ ହ୍ରାସ ସହ ଖୋଲିଥିଲା । ଲୋକସଭା ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟରେ କମ୍ ମତଦାନ ଏବଂ ମୋଦୀ ସରକାରଙ୍କ ପ୍ରତ୍ୟାବର୍ତ୍ତନ କୁ ନେଇ ସନ୍ଦେହ ପ୍ରକାଶ ପାଇବା କାରଣରୁ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଥିଲା । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିବେଶକଙ୍କୁ ନିଶ୍ଚିନ୍ତ ହୋଇ କିଣିବାକୁ ପରାମର୍ଶ ଦେବା ସହ ଜୁନ୍ ୪ରେ ପୁଣି ଥରେ ମୋଦୀ ସରକାର ଫେରିବାକୁ ପ୍ରତିଶ୍ରୁତି ଦେବା ମାତ୍ରେ ଷ୍ଟକ ବଜାରରେ ଉତ୍ସାହ ଫେରିଥିଲା ଓ ସକାଳେ ହୋଇଥିବା କ୍ଷତି ଭରଣା ହେବା ସହ ସେନସେକ୍ସ ୧୧୨ ପଏଣ୍ଟ ବୃଦ୍ଧି ପାଇ ୭୨,୭୭୬ ରେ ବନ୍ଦ ହୋଇଛି ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୪୯ ପଏଣ୍ଟ ବୃଦ୍ଧି ପାଇ ୨୨,୧୦୪ ପଏଣ୍ଟରେ ବନ୍ଦ ହୋଇଛି। ଏହାର ଅର୍ଥ ହେଉଛି ନିବେଶକମାନେ ସକାଳେ ସହିଥିବା କ୍ଷତି ଭରଣା ହେବା ସହ ଲାଭ ବୃଦ୍ଧି ପାଇଛି ।