ମୁମ୍ବାଇ: ଚଳିତ ସପ୍ତାହ ଯାତ୍ରାକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ସେନ୍‌ସେକ୍ସ ଆଜି ୫୬୭ ପଏଣ୍ଟ ବୃଦ୍ଧି ପାଇ ୮୪,୭୭୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍ ଏକ୍ସ‌ଚେଞ୍ଜର ନିଫ୍ଟି ୧୭୧ ପଏଣ୍ଟ ବୃଦ୍ଧି ପାଇ ୨୫,୯୬୬ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ଅଂଶ ଥିବା ୩୦ଟି କମ୍ପାନି ମଧ୍ୟରୁ ଏୟାରଟେଲ୍‌, ଷ୍ଟେଟ୍‌ ବ୍ୟାଙ୍କ, ରିଲାଏନ୍ସ ଓ ଜୋମାଟୋର ସେୟାର ମୂଲ୍ୟ ୨ ପ୍ରତିଶତରୁ ଅଧିକ ବଢ଼ିଛି। ସେହି ସମୟରେ କୋଟକ ମହିନ୍ଦ୍ରା ବ୍ୟାଙ୍କ, ବିଇଏଲ୍‌ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ନିଫ୍ଟିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରିଅଲ ଇଷ୍ଟେଟ୍‌, ଧାତବ, ତୈଳ ଓ ଗ୍ୟାସ୍‌ ସୂଚୀରେ ବୃଦ୍ଧି ଘଟିଛି। 

Advertisment

ସୋମବାର ବିଶ୍ବବ୍ୟାପୀ ଷ୍ଟକ୍ କାରବାର ଉତ୍ସାହଜନକ ରହିଛି। କୋରିଆର କୋପ୍‌ସି ୨.୫୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଜାପାନର ନିକେଇ ପ୍ରଥମ ଥର ପାଇଁ ୫୦,୫୧୨ ପଏଣ୍ଟରେ ବନ୍ଦ ହୋଇଛି। ହଂକଂର ହାଙ୍ଗସେଙ୍ଗ ୧.୦୫ ପ୍ରତିଶତ ଓ ଚୀନର ସାଂଘାଇ କମ୍ପୋଜିଟ ସୂଚୀ ୧.୧୮ ପ୍ରତିଶତ ବୃଦ୍ଧି ପାଇ ବନ୍ଦ ହୋଇଛି। ଆମେରିକାରେ ଡାଓ ଜୋନ୍ସ ୧.୦୧ ପ୍ରତିଶତ, ନାସ୍‌ଦାକ୍‌ ୧.୧୫ ପ୍ରତିଶତ ଓ ଏସ୍‌ଆଣ୍ଡ୍‌ପି ୫୦୦ ସୂଚୀ ୦.୭୯ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି।