ସେନସେକ୍ସ ୧୭୩୬ ପଏଣ୍ଟ ବୃଦ୍ଧି, ଗୋଟିଏ ଦିନରେ ନିବେଶକଙ୍କ କ୍ଷତି ଭରଣା

ମୁମ୍ବାଇ  : ଗତ କାଲି  ସେନସେକ୍ସ ଯେତିକି ପଏଣ୍ଟ ହ୍ରାସ ପାଇଥିଲା ଆଜି ପ୍ରାୟ ସେତିକି ପରିମାଣ ବୃଦ୍ଧି ପାଇଛି । ଫଳରେ ଗତ କାଲି ଲକ୍ଷ ଲକ୍ଷ କୋଟି ହରାଇଥିବା ନିବେଶକମାନଙ୍କ କ୍ଷତି ଭରଣା ହୋଇଛି ।

ମଙ୍ଗଳବାର ସେନସେକ୍ସ ୧୭୩୬ ପଏଣ୍ଟ ବୃଦ୍ଧି ସହ ୫୮,୧୪୨.୦୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୦୯.୭୦ ପଏଣ୍ଟ ବୃଦ୍ଧି ପାଇ ୧୭,୩୫୨.୫୦ ପଏଣ୍ଟରେ ବନ୍ଦ ହୋଇଛି । ସୋମବାରଦିନ ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟୀ ୫୩୧.୯୫ ପଏଣ୍ଟ ହ୍ରାସ ପାଇ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଥିଲା । ଏହା ଫଳରେ ବିଏସଇର ନିବେଶକମାନେ ସାଢେ ୮ ଲକ୍ଷ କୋଟି ହରାଇଥିଲେ । କିନ୍ତୁ ଆଜିର ବୃଦ୍ଧି ପରେ ନିବେଶକମାନେ ନିଜର କ୍ଷତି ଭରଣା କରିପାରିଛନ୍ତି ।

ଗତ କାଲି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କାରେ ସାରା ବିଶ୍ବର ଚିନ୍ତା ବଢିଯାଇଥିଲା ଓ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ବି ପଡ଼ିଥିଲା । କିନ୍ତୁ ଆଜି ଋଷିଆ ପକ୍ଷରୁ କିଛି ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହେବା ପରେ ଯୁଦ୍ଧର କଳାବାଦଲ ମଧ୍ୟରୁ ଆଶାର ଏକ କିରଣ ଦେଖାଦେଇଛି । ଏହାକୁ ନେଇ ସାରା ବିଶ୍ବର ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି ।

 

ସମ୍ବନ୍ଧିତ ଖବର