ମୁମ୍ବାଇ: ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ତଳକୁ ଖସୁଥିବା ଷ୍ଟକ୍ ବଜାର କାରବାରରେ ସୋମବାର ସୁଧାର ଘଟିଛି। ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଭଲ କାରବାର ହୋଇଛି। ଏହାର ପ୍ରଭାବରେ ସେନ୍ସେକ୍ସ ୧୦୦୬ ପଏଣ୍ଟ ବୃଦ୍ଧି ପାଇ ୮୦,୨୧୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୮୯ ପଏଣ୍ଟ ବଢ଼ି ୨୪,୩୨୮ ପଏଣ୍ଟରେ ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ନିବେଶକମାନେ ନଜର ରଖିଥିଲେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଉତ୍ସାହଜନକ ଆର୍ଥିକ ଫଳାଫଳ ଓ ଏସିଆର ବିଭିନ୍ନ ଦେଶରେ ଭଲ କାରବାର ହୋଇଥିବା ପ୍ରଭାବରେ ଭାରତରେ କାରବାର ଉତ୍ସାହଜନକ ରହିଥିଲା।
ନିଫ୍ଟିରେ ଆଇଟି ସୂଚୀକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ସୂଚୀ ଯଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କଞ୍ଜ୍ୟୁମର ଡ୍ୟୁରେବଲ୍, ତୈଳ ଓ ଗ୍ୟାସ୍ ଓ ଘରୋଇ ବ୍ୟାଙ୍କ ସୂଚୀରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିଲା। ବିଦେଶୀ ନିବେଶକମାନେ ମଧ୍ୟ ଲଗାତାର ଭାବେ ଭାରତୀୟ ଇକ୍ବିଟି ସେୟାର କିଣିବା ଜାରି ରଖିଛନ୍ତି। ଗତ ଆଠ ଦିନରେ ସେମାନେ ୩୨,୪୬୫ କୋଟି ଟଙ୍କା ନିବେଶ କରିଚନ୍ତି। ତେଣୁ ସେମାନଙ୍କ ପାଣ୍ଠି ପ୍ରତ୍ୟାହାରକୁ ନେଇ ପୂର୍ବରୁ ଯେଉଁ ଚିନ୍ତା ଥିଲା, ତାହା ଦୂର ହୋଇଛି। ଦୁର୍ବଳ ଡଲାର ଓ ଅଶୋଧିତ ତେଲ ଦରହ୍ରାସ ଭଳି ଖବର ବିଶ୍ବ ଅର୍ଥନୀତି ସ୍ଥିରତା ଆଡ଼କୁ ଫେରୁଥିବାର ସଙ୍କେତ ଦେଉଥିବାରୁ ନିବେଶକମାନଙ୍କ ମନୋବଳ ବଢ଼ିଛି।