ମୁମ୍ବାଇ: ଗତ ସପ୍ତାହଠାରୁ ଆରମ୍ଭ ହୋଇଥିବା ଭଲ ବେଳା ଚଳିତ ସପ୍ତାହରେ ମଧ୍ୟ ଜାରି ରହିଛି। ସୋମବାର ନିବେଶକମାନେ ବିଭିନ୍ନ କମ୍ପାନିର ସେୟାର କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୦୭୯ ପଏଣ୍ଟ ବୃଦ୍ଧି ପାଇ ୭୭,୯୮୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୩୦୮ ପଏଣ୍ଟ ବୃଦ୍ଧି ପାଇ ୨୩,୬୫୮ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକଙ୍କୁ ୫.୨ ଲକ୍ଷ‌ କୋଟି ଟଙ୍କାର ଫାଇଦା ହୋଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୧୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 

ସେନ୍‌ସେକ୍ସରେ ୧୦୭୯ ପଏଣ୍ଟ ବୃଦ୍ଧି
ନିବେଶକଙ୍କୁ ୫ ଲକ୍ଷ କୋଟି ଫାଇଦା

Advertisment

ତେବେ ସୋମବାର କାରବାରର ଅନ୍ୟତମ ଉଲ୍ଲେଖନୀୟ ଦିଗଟି ହେଉଛି ୨୦୨୫ରେ ସେନ୍‌ସେକ୍ସର ଯେଉଁ କ୍ଷତି ହୋଇଥିଲା, ତାହା ଭରଣା ହୋଇଛି। ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବା ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଓ)ମାନେ ପୁଣି ଥରେ ଭାରତ ଉପରେ ବିଶ୍ବାସ ପ୍ରକଟ କରି ନିବେଶ ଆରମ୍ଭ କରିଛନ୍ତି। ସରକାରୀ ବ୍ୟୟ ବଢ଼ିବା ଏବଂ ମୁଦ୍ରାନୀତି କୋହଳ ହେଉଥିବାରୁ ନିବେଶକମାନଙ୍କ ମନୋବଳ ବୃଦ୍ଧି ପାଇଛି। ଗତବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଷ୍ଟକ୍ ବଜାରରେ ଲଗାତାର ୬ଟି କାରବାର ଦିନରେ ସେନ୍‌ସେକ୍ସ ଓ ନିଫ୍ଟି ବୃଦ୍ଧି ପାଇଛି। ଗତ ୬ଟି କାରବାର ଦିନରେ ସେନ୍‌ସେକ୍ସ ୪୧୫୫ ପଏଣ୍ଟ ଓ ନିଫ୍ଟି ୧୨୬୧ ପଏଣ୍ଟ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରିରେ ସେନ୍‌ସେକ୍ସ ୬୩୮ ପଏଣ୍ଟ ଓ ଫେବ୍ରୁଆରିରେ ୪୩୦୨ ପଏଣ୍ଟ ହରାଇଥିଲା। କିନ୍ତୁ ମ‌ାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ସେନ୍‌ସେକ୍ସ ୪୭୮୬ ପଏଣ୍ଟ ଉପରକୁ ଉଠିଛି। ଫ‌ଳରେ ପୂର୍ବ ଦୁଇ ମାସରେ ହୋଇଥିବା କ୍ଷତି ଭରଣା ହୋଇଯାଇଛି। ବର୍ଷର ପୂର୍ବ ଦୁଇ ମାସ, ବିଶେଷ କରି ଫେବ୍ରୁଆରି ମାସରେ ସେନ୍‌‌ସେକ୍ସ ଓ ନିଫ୍ଟିରେ ହୋଇଥିବା ହ୍ରାସ ପ୍ରଭାବରେ ବହୁ କମ୍ପାନିର ସେୟାର ମୂଲ୍ୟ ତଳକୁ ଖସି ତାହା ନିବେଶକମାନଙ୍କ ପାଇଁ ଆକର୍ଷଣୀୟ ହୋଇପଡ଼ିଛି। ଅନ୍ୟପକ୍ଷରେ ଗତ ଶୁକ୍ରବାର ବିଦେଶୀ ନିବେଶକମାନେ ଗୋଟିଏ ଦିନରେ ୫୨୬୩ କୋଟି ଟଙ୍କା ନିବେଶ କରିବା ମଧ୍ୟ ନିବେଶକଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି। 

ଡଲାର ତୁଳନାରେ ଟଙ୍କା ବି ସବଳ

ମୁମ୍ବାଇ:‌ ସୋମବାର ଆର୍ଥିକ ବଜାର ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଅସ୍ଥିରତା ପ୍ରଭାବରେ ଷ୍ଟକ୍ ବଜାର ସୂଚୀ ଓ ଟଙ୍କା ମୂଲ୍ୟରେ ଚଳିତ ବର୍ଷ ଯେଉଁ ହ୍ରାସ ହୋଇଥିଲା, ତାହା ସମ୍ପୂର୍ଣ୍ଣ ଭରଣା ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବଳ ହୋଇଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୭ ପଇସା ହୋଇଛି। ଇକ୍ବିଟି ବଜାରରେ ବିଦେଶୀ ନିବେଶକମାନେ ପୁନର୍ବାର ପୁଞ୍ଜି ଖଟାଇବା, ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସର ପ୍ରଭାବରେ ଡଲାର ଦୁର୍ବଳ ହେବା ସହ ଟଙ୍କା ସବଳ ହୋଇଛି। ଲଗାତାର ସାତଟି କାରବାର ଦିନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବଢ଼ିଛି। ଫଳରେ ‌ଡଲାର କିଣିବା ପାଇଁ ୧ ଟଙ୍କା ୫୪ ପଇସା କମ୍ ଗଣିବାକୁ ପଡ଼ୁଛି। ୨୦୨୪ ଡିସେମ୍ବର ୩୧ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ୬୪ ପଇସା ଥିଲା। ଆଜି ସେହି ସ୍ତରକୁ ଟଙ୍କା ଆସିଯାଇଛି। ଆଗାମୀ ଦିନରେ ମୂଲ୍ୟରେ ଆହୁରି ସୁଧାର ଆଶା କରାଯାଉଛି।