ଷ୍ଟକବଜାରରେ ଉତ୍ସାହ ଫେରିଲା : ସେନସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ମୁମ୍ବାଇ : ପ୍ରାୟ ୫ ଦିନ ଲଗାତାର ହ୍ରାସ ପାଇବା ପରେ ଶୁକ୍ରବାରଦିନ ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଛି । ବିଏସଇ ସେନସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ ଏନଏସଇ ନିଫଟୀ ୨୭୬ ପଏଣ୍ଟ ବୃଦ୍ଧି ପାଇ ୧୭ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି । ସେନସେକ୍ସ ୫୭,୪୨୬.୯୨ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟୀ ୧୭.୦୯୪.୩୦ ପଏଣ୍ଟରେ ବନ୍ଦ ହୋଇଛି ।

ତେବେ ଲଗାତାର ହ୍ରାସ ପାଉଥିବା ଷ୍ଟକବଜାରରେ ଆଜି ଉତ୍ସାହ ଫେରିଲା କିପରି ? ଏ ସଂପର୍କରେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତୀୟ ଅର୍ଥନୀତି ଉପରେ ଭରସା ପ୍ରକଟ କରାଯିବାର ସକାରାତ୍ମକ ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି ।

ଶୁକ୍ରବାରଦିନ ରେପୋ ହାର ବୃଦ୍ଧି କରିବା ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଅର୍ଥନୀତି ତାହାର ସଫଳ ମୁକାବିଲା କରିଚାଲିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିବ ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ରେପୋ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି କରି ୫.୯ ପ୍ରତିଶତ କରାଯାଇଛି । ତଦନୁଯାୟୀ ବ୍ୟାଙ୍କ ହାର, ଏସଡିଏଫ, ଆଦିକୁ ବଦଳାଯାଇଛି । ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ।

 

ସମ୍ବନ୍ଧିତ ଖବର