ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାରଦିନ ଉତ୍ସାହ ଦେଖାଦେଇଛି । ବିଏସଇ ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ ନିଫଟି ୧୮ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି । ବିଶ୍ବର ଅନ୍ୟ ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଉତ୍ସାହ ମଧ୍ୟରେ ଭାରତୀୟ ଷ୍ଟକ ବଜାରରେ ବି ଉତ୍ସାହ ଦେଖାଦେଇଛି ।

Advertisment

ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ଆଜି ୫୬୩ ପଏଣ୍ଟ ବୃଦ୍ଧି ସହ ୬୦,୬୫୬ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୧୫୮ ପଏଣ୍ଟ ସହ ୧୮,୦୫୩ ପଏଣ୍ଟରେ ବନ୍ଦ ହୋଇଛି । ଏଲଏଣ୍ଡଟି, ଏଚଡିଏଫସି, ରିଲାଏନ୍ସ, ଏଚସିଏଲ ଟେକ୍ ଆଦି ସେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ଏସବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଓ୍ବିପ୍ରୋ, ଟାଟା ଷ୍ଟିଲ ଆଦି ଷ୍ଟକ ହ୍ରାସ ପାଇଛି ।

ପ୍ରମୁଖ ଅନ୍ତର୍ଜାତୀୟ ବଜାରରେ ବୃଦ୍ଧିର ସକାରାତ୍ମକ ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି । ଏହା ସହିତ ଆଗକୁ କେନ୍ଦ୍ର ବଜେଟ ଥିବାରୁ ନିବେଶକମାନେ ଆଶାବାଦୀ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ଥିବାରୁ ସରକାର ଲୋକାଭିମୂଖୀ ବଜେଟ ଘୋଷଣା କରିପାରନ୍ତି ।

ଅନ୍ୟପକ୍ଷରେ ମଙ୍ଗଳବାରଦିନ ଡଲାର ତୁଳନାରେ ଟଙ୍କା ସାମାନ୍ୟ ଦୁର୍ବଳ ହୋଇ ୮୧.୭୬ ରେ ବନ୍ଦ ହୋଇଛି । ପୂର୍ବଦିନ ଏହା ୮୧.୬୭ରେ ବନ୍ଦ ହୋଇଥିଲା ।