ମୁମ୍ବାଇ: ଷ୍ଟକ୍ ବଜାର କାରବାର ଲାଗି ଚଳିତ ସପ୍ତାହ ବେଶ୍ ଭଲ ସାବ୍ୟସ୍ତ ହୋଇଛି। ଚାରିଟି କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୪୭୦୦ ପଏଣ୍ଟ ବୃଦ୍ଧି ପାଇଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪୫୩ ପଏଣ୍ଟ ବଢ଼ିଛି। କେବଳ ଗୁରୁବାର ଦିନ ସେନ୍ସେକ୍ସ ୧୫୦୮ ପଏଣ୍ଟ ବୃଦ୍ଧି ପାଇ ୭୮,୫୫୩ ପଏଣ୍ଟରେ ଓ ନିଫ୍ଟି ୪୧୪ ପଏଣ୍ଟ ବୃଦ୍ଧି ପାଇ ୨୩,୮୫୧ ପଏଣ୍ଟରେ ବନ୍ଦ ହୋଇଛି। ଗତ ଚାରିଟି କାରବାର ଦିନରେ ସେନ୍ସେକ୍ସ ଓ ନିଫ୍ଟିରେ ହୋଇଥିବା ବୃଦ୍ଧି ଗତ ଦୁଇ ବର୍ଷ ମଧ୍ୟରେ ଯେକୌଣସି ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଟିକସକୁ ତିନି ମାସ ସ୍ଥଗିତ ଘୋଷଣା କରିବା ପରଠାରୁ ଷ୍ଟକ୍ ବଜାର କାରବାରରେ ଉତ୍ସାହ ଫେରିଛି। ଗୁରୁବାର ବଜାର ଖୋଲିବା ବେଳେ କାରବାର ମାନ୍ଦା ଥିଲା। ୭୬ ପଏଣ୍ଟ ହ୍ରାସ ସହ ଯାତ୍ରା ଆରମ୍ଭ କରିଥିବା ସେନ୍ସେକ୍ସ ଅପରାହ୍ନରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ନିବେଶକମାନେ ବ୍ୟାଙ୍କ ଓ ଆର୍ଥିକ ସେବା ସଂସ୍ଥାର ସେୟାର ବିପୁଳ ମାତ୍ରାରେ କିଣିବାରୁ ସେନ୍ସେକ୍ସ ୧୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଥିଲା। ଏହାର ପ୍ରଭାବରେ ନିବେଶକଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି।