୧୧୨୮ ପଏଣ୍ଟ ବଢିଲା ସେନସେକ୍ସ, ନିବେଶକଙ୍କ ଲାଭ ସାଢେ ୩ ଲକ୍ଷ କୋଟି

ମୁମ୍ବାଇ : ଗତ ସପ୍ତାହରେ ଷ୍ଟକ ସୂଚକାଙ୍କଗୁଡ଼ିକରେ ହ୍ରାସ ଯୋଗୁଁ ନିବେଶକମାନେ ବ୍ୟାପକ କ୍ଷତି ସହିଥିଲେ । କିନ୍ତୁ ହୋଲି ଛୁଟି ପରେ ଆଜି ଖୋଲିଥିବା ଷ୍ଟକ ବଜାରରେ ଉତ୍ସାହ ଫେରିଥିବା ଲକ୍ଷ୍ୟ କରାଯାଉଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ୧୧୨୮ ପଏଣ୍ଟ ବା ୨.୩ ପ୍ରତିଶତ ବୃଦ୍ଧି ପାଇ ୫୦,୧୩୬.୫୮ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୩୩୭ ପଏଣ୍ଟ ବା ୨.୩୮ ପ୍ରତିଶତ ବୃଦ୍ଧି ପାଇ ୧୪,୮୪୫.୧୦ ପଏଣ୍ଟରେ ବନ୍ଦ ହୋଇଛି । ଆଜି ସେନସେକ୍ସ ଓ ନିଫଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବାରୁ ନିବେଶକମାନଙ୍କ ସମ୍ପତ୍ତି ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ବୃଦ୍ଧି ପାଇଥିବା ଅଟକଳ କରାଯାଉଛି ।

ଆଇଟି ଷ୍ଟକ ଗୁଡ଼ିକରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିପରି ମେଟାଲ, ବ୍ୟାଙ୍କିଙ୍ଗ୍ ଆଦି ଷ୍ଟକ ଗୁଡ଼ିକରେ ମଧ୍ୟ ବୃଦ୍ଧି ଦେଖାଯାଇଛି । ଗତ ସପ୍ତାହରେ ସେନସେକ୍ସ ଓ  ନିଫଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା । ତେବେ ଶୁକ୍ରବାରଦିନ ଉଭୟ ସୂଚକାଙ୍କ ବୃଦ୍ଧି ସହ ବନ୍ଦ ହୋଇଥିଲା ।

ଅନ୍ତର୍ଜାତୀୟ ଷ୍ଟକ ସୂଚକାଙ୍କଗୁଡ଼ିକରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ସୁଏଜ କେନାଲରେ ଫସିରହିଥିବା ଏଭର ଗିଭିନ ଜାହାଜ ବାହାରିବା ପରେ ପୁଣି ଥରେ ଜାହାଜ ଚଳାଚଳ ଆରମ୍ଭ ହୋଇଛି । ଏହା ଫଳରେ ପୁଣି ବାଣିଜ୍ୟ କାରବାର ଆରମ୍ଭ ହୋଇଯାଇଛି । ଏହା ବଜାରରେ ଉତ୍ସାହ ଆଣିଦେଇଛି ।

ସମ୍ବନ୍ଧିତ ଖବର