ଷ୍ଟକ ବଜାରରେ ଉତ୍ସାହ : ନୂଆ ଶିଖରରେ ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଶୁକ୍ରବାରଦିନ ଉତ୍ସାହ ଦେଖାଯାଇଛି । ଉଭୟ ବିଏସଇ ସେନସେକ୍ସ ଓ ଏନଏସଇ ନିଫଟୀ ନୂଆ ଉଚ୍ଚତାକୁ ଛୁଇଁଛନ୍ତି । ସେନସେକ୍ସ ୧୧୮୧ ପଏଣ୍ଟ ବୃଦ୍ଧି ସହ ନୂଆ ଉଚ୍ଚତା ୬୧,୭୯୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୩୨୧ ପଏଣ୍ଟ ବୃଦ୍ଧି ସହ ବିଗତ ୧୩ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ୧୮,୩୫୦ ପଏଣ୍ଟରେ ବନ୍ଦ ହୋଇଛି ।

ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ଭାରତୀୟ ବଜାରରେ ବି ଉତ୍ସାହ ଦେଖାଦେଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗତକାଲି ପ୍ରକାଶିତ ଆମେରିକୀୟ ମୁଦ୍ରାସ୍ପୀତି ତଥ୍ୟ ଆଶଙ୍କା ତୁଳନାରେ କମ ଥିବାରୁ ବିଶ୍ବ ଷ୍ଟକ ବଜାରରେ ଏହି ଉତ୍ସାହ ଦେଖିବାକୁ ମିଳିଛି । ଅକ୍ଟୋବର ମାସରେ ଆମେରିକାର ମୁଦ୍ରାସ୍ପୀତି ହାର ୭.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ସେପ୍ଟେମ୍ବର ମାସରେ ୮.୨୦ ପ୍ରତିଶତ ଥିଲା । ମୁଦ୍ରାସ୍ପୀତି କମିଥିବାରୁ ଆମେରିକାର ଫେଡେରାଲ ରିଜର୍ଭ ବଡ଼ଧରଣର ସୁଧହାର ବଢାଇବାର ସମ୍ଭାବନା କମ ଥିବାରୁ ଡଲାର ମଧ୍ୟ ଦୂର୍ବଳ ହୋଇଛି । ଏହା ଫଳରେ ଟଙ୍କା ମଧ୍ୟ ସବଳ ହୋଇଛି । ଶୁକ୍ରବାରଦିନ ଡଲାର ତୁଳନାରେ ଟଙ୍କା ୮୦.୭୯ ରେ ବନ୍ଦ ହୋଇଛି । ଏହାର ସକାରାତ୍ମକ ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି ।

ବଜାର ବିଶେଷଜ୍ଞଙ୍କ ମତରେ ଷ୍ଟକ ବଜାରରେ ଏହି ବୃଦ୍ଧି ଆଗାମୀ ସପ୍ତାହରେ ବି ଜାରି ରହିବ ।

 

ସମ୍ବନ୍ଧିତ ଖବର