ସେନସେକ୍ସ ୮୧୨ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୪.୫୮ ଲକ୍ଷ କୋଟି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ସମେତ ସାରା ବିଶ୍ୱର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ବିଶ୍ୱର ପ୍ରମୁଖ ଷ୍ଟକ ବଜାର ଗୁଡ଼ିକରେ ନିୟମିତଭାବେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ୟୁରୋପୀୟ ବଜାରରେ ବ୍ୟାପକ ହ୍ରାସ ଦେଖେଦେଇଛି ଓ ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୮୧୧.୬୮ ପଏଣ୍ଟ ହ୍ରାସ ପାଇ ୩୮୦୩୪.୧୪ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ସୂଚକାଙ୍କ ୨୫୪ ପଏଣ୍ଟ ହ୍ରାସ ପାଇ ୧୧୨୫୦.୫୫ ପଏଣ୍ଟରେ ବନ୍ଦ ହୋଇଛି ।
ସେନେସେକ୍ସ ୮୧୧.୬୮ ପଏଣ୍ଟ ହ୍ରାସ ପାଇବା ଫଳରେ ନିବେଶକମାନେ ଆଜି ପ୍ରାୟ ୪.୫୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।
ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବାରୁ ପୁଣି ଲକଡାଉନ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ଏହାର ପ୍ରଭାବରେ ୟୁରୋପୀୟ ଷ୍ଟକ ବଜାର ଗୁଡ଼ିକ ଗତ ଜୁଲାଇପରଠାରୁ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଛି । ଏହା ଯୋଗୁଁ ଅନ୍ୟ ଏସୀୟ ଷ୍ଟକ ବଜାରରେ ପ୍ରଭାବ ପଡ଼ିଛି ।

କରୋନା ମହାମାରୀ ଯୋଗୁଁ ଭାରତର ଜିଡିପି ଅଭିବୃଦ୍ଧି ଏବର୍ଷ ୧୧-୧୨ ପ୍ରତିଶତ ହ୍ରାସ ପାଇବ ବୋଲି କେତେକ ପ୍ରମୁଖ ରେଟିଂ ଏଜେନ୍ସି ପୂର୍ବାନୁମାନ କରିଛନ୍ତି । ଆହୁରି ମଧ୍ୟ ସୀମାରେ ଚୀନ ସହ ଯୁଦ୍ଧ ଆଶଙ୍କା ମଧ୍ୟ ବଢିଚାଲିଛି । ଏହାର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ୁଛି ।

ସମ୍ବନ୍ଧିତ ଖବର