ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଗତ କିଛିଦିନ ହେଲାଣି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ନିୟମିତ ବ୍ୟବଧାନରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଆଜି ଏହା ୬୭ ହଜାର ପଏଣ୍ଟ୍‌ରୁ ଉପର ସ୍ତରକୁ ଚାଲିଯାଇଥିଲା। କାରବାର ଶେଷ ବେଳକୁ କିନ୍ତୁ ସେଥିର ସୁଧାର ଘଟି ସେନ୍‌ସେକ୍ସ ୨୦୫ ପଏଣ୍ଟ୍‌ ବୃଦ୍ଧି ସହ ୬୬,୭୯୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୭ ପଏଣ୍ଟ୍‌ ବୃଦ୍ଧି ପାଇ ୧୯,୭୪୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏକ ମାସ ଭିତରେ ସେନ୍‌ସେକ୍ସରେ ୩୬୦୦ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସେହି ସମୟରେ ନିଫ୍‌ଟିରେ ୧୦୦୦ ପଏଣ୍ଟ୍‌ ବୃଦ୍ଧି ହୋଇଛି। ‌ଷ୍ଟକ ବଜାର କାରବାରରେ ହେଉଥିବା ବୃଦ୍ଧିର ଅନେକ କାରଣ ବିଷୟରେ ବିଶେଷଜ୍ଞମାନେ ବର୍ଣ୍ଣନା କରିଛନ୍ତି।

Advertisment

ବିଦେଶୀ ନିବେଶକମାନେ ବିପୁଳ ନିବେଶ କରୁଥିବା ବେଳେ ବିଶ୍ବ ବଜାରରେ ଭଲ କାରବାର ‌ହେବା, ଆମେରିକାରେ ମୁଦ୍ରାସ୍ଫୀତି କମ୍ ରହିବା ଏବଂ ଦେଶ ଭିତରେ କଂପାନିଗୁଡ଼ିକର କାରବାର ବହୁତ ଭଲ ରହିବା ଯୋଗୁ ସେନ୍‌ସେକ୍ସରେ ବୃଦ୍ଧି ହେଉଛି। ଗତ ଜୁନ୍‌ରେ ବିଦେଶୀ ନିବେଶକମାନେ ରେକର୍ଡ ୫୭୦ କୋଟି ଡଲାରର ଭାରତୀୟ ସେୟାର କିଣିଛନ୍ତି। ଭାରତରେ ମୁଦ୍ରାସ୍ଫୀତିରେ ହ୍ରାସର ଧାରା ଲାଗି ରହିଥିବା ବେଳେ ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ନିବେଶକମାନଙ୍କ ମନୋବଳ ଦୃଢ଼ ରହିଛି।