ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଗୁରୁବାରଦିନ ଉତ୍ସାହ ଦେଖାଦେଇଛି । ବିଏସଇ ସେନସେକ୍ସ ଆଜି ସର୍ବାଧିକ ୯୦୦ ପଏଣ୍ଟ ବୃଦ୍ଧି  ପାଇଁ ସର୍ବକାଳୀନ ଶିଖର ୬୨,୪୧୨ ପଏଣ୍ଟକୁ ଛୁଇଁଥିଲା । ବଜାର ବନ୍ଦ ବେଳକୁ ସେନସେକ୍ସ ୭୬୨ ପଏଣ୍ଟ ସହ ୬୨,୨୭୨.୬୮ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୨୧୬.୮୫ ପଏଣ୍ଟ ବୃଦ୍ଧି ସହ ୧୮,୪୮୪ ପଏଣ୍ଟରେ ବନ୍ଦ ହୋଇଛି ।

Advertisment

ସେନସେକ୍ସରେ ଏହି ବୃଦ୍ଧି ଫଳରେ୍ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କା ଲାଭ କରିପାରିଛନ୍ତି । କାରଣ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଂଜୀକୃତ ସବୁ ଷ୍ଟକ ଗୁଡ଼ିକର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୨୮୩.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କିଛିଟା ସୁଦୃଢ ହୋଇଛି । ଗୁରୁବାରଦିନ କାରବାର ଆରମ୍ଭ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୧.୮୫ ଥିବାବେଳେ ତାହା ୨୩ ପଇସା ସୁଦୃଢ ହୋଇ ୮୧.୬୨ରେ ବନ୍ଦ ହୋଇଛି ।

ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ ଏହି ଉତ୍ସାହ ଦେଖାଦେଇଛି । ଆମେରିକାର ଫେଡେରାଲ ରିଜର୍ଭ ଦ୍ବାରା ସୁଧହାର ବୃଦ୍ଧିକୁ ଧୀମା କରାଯିବା ସଂକେତ ନିବେଶକଙ୍କୁ ଉତ୍ସାହିତ କରିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି । ଡଲାର ମଧ୍ୟ କିଛିଟା ଦୁର୍ବଳ ହେବା ଆରମ୍ଭ କରିଛି ।