ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାରରେ ଆଜିକାଲି ପ୍ରତିଦିନ ଏକ ନୂଆ ରେକର୍ଡ ସୃଷ୍ଟି ହେଉଛି। ଏପରିକି ଗୁରୁବାର ମଧ୍ୟ ଷ୍ଟକ ବଜାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବିଏସଇ ସେନସେକ୍ସ ୮୬,୦୦୦ ପଏଣ୍ଟ ଏବଂ ନିଫ୍ଟି-୫୦ ପ୍ରାୟ ୨୬,୩୦୦ ପଏଣ୍ଟ ନିକଟବର୍ତ୍ତି ହୋଇଯାଇଛି । ଆଜି ଅର୍ଥାତ ସପ୍ତାହର ଚତୁର୍ଥ କାରବାର ଦିବସରେ ବିଏସ୍ଇ ସେନସେକ୍ସ ୮୫,୯୩୦.୪୩ ପଏଣ୍ଟ ଏବଂ ନିଫ୍ଟି ୫୦ ୨୬,୨୫୦.୯୦ ପଏଣ୍ଟରେ ପହଞ୍ଚିଛି। ତେବେ ଶେଷ ସୁଦ୍ଧା ବିଏସଇ ସେନସେକ୍ସ ୬.୨୫ ପଏଣ୍ଟ ବୃଦ୍ଧି ସହ ୮୫,୮୩୬.୧୨ ପଏଣ୍ଟ ଏବଂ ନିଫ୍ଟି ୫୦ ୨୧୧.୯୦ ପଏଣ୍ଟ ବୃଦ୍ଧି ସହ ୨୬,୨୧୬.୦୫ ପଏଣ୍ଟରେ ବନ୍ଦ ହୋଇ ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଅର୍ଥାତ୍ ସେପ୍ଟେମ୍ବର ୨୪ତାରିଖରେ ସେନ୍ସେକ୍ସ ୮୫,୦୦୦ ପଏଣ୍ଟ ଟପିଥିଲା ଏବଂ ଆଜି ଏହା ୮୬୦୦୦ ପଏଣ୍ଟର ଐତିହାସିକ ସଂଖ୍ୟାର ଅତି ନିକଟତର ହୋଇଛି। ସେହିପରି ସେପ୍ଟେମ୍ବର ୨୪ ରେ ନିଫ୍ଟି ମଧ୍ୟ ୨୬,୦୦୦ ପଏଣ୍ଟ ଅତିକ୍ରମ କରିଥିବା ବେଳେ ଆଜି ଏହା ମଧ୍ୟ ୨୬,୩୦୦ ପଏଣ୍ଟ ପାଖାପାଖି ରହିଛି। ଆଜି ସେନସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନିର ସେୟାର ରେ ବୃଦ୍ଧି ଘଟିଥିବା ବେଳେ ୪ଟି କମ୍ପାନିର ସେୟାର ହ୍ରାସ ପାଇଛି। ସେହିପରି ନିଫ୍ଟି-୫୦ରେ ଥିବା ୫୦ଟି କମ୍ପାନି ମଧ୍ୟରୁ ୪୧ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ୯ଟି କମ୍ପାନିର ସେୟାର ଲାଲ୍ ରଙ୍ଗରେ ବନ୍ଦ ହୋଇଛି।
ଆଜିର କାରବାରରେ ବିଏସଇରେ ତାଲିକାଭୁକ୍ତ କମ୍ପାନିମାନଙ୍କ ମୋଟ ବଜାରପୁଞ୍ଜି ୧.୭୯ ଲକ୍ଷ କୋଟି ବୃଦ୍ଧି ପାଇ ୪୭୭ ଲକ୍ଷ କୋଟି ଛୁଇଁଛି । ଅର୍ଥାତ ନିବେଶକମାନେ ୧.୭୯ ଲକ୍ଷ କୋଟିର ଲାଭ କରିଛନ୍ତି ।