ଆଧାର ଲିଙ୍କ୍ ନକଲେ ସେପ୍ଟେମ୍ବରରୁ ଅଚଳ ହୋଇଯିବ ପାନ୍

ନୂଆଦିଲ୍ଲୀ: ଯେଉଁମାନେ ପାନ୍ ସହିତ ଆଧାର ଲିଙ୍କ୍ କରାଇ ନାହାନ୍ତି ସେମାନଙ୍କ ପାଇଁ ଏହି କାମ କରିବାକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ରହିଛି। ସେହି ସମୟ ସୀମା ଭିତରେ ଆଧାର-ପାନ୍ ଲିଙ୍କ ନହେଲେ ପାନ୍ କାର୍ଡ ଅଚଳ ହୋଇଯିବ।

ଆୟକର ରିଟର୍ଣ୍ଣ ଦାଖଲ ଠାରୁ ଆରମ୍ଭ କରି ମୋଟା ଅଙ୍କର ଅର୍ଥ କାରବାର ବେଳେ ପାନ୍ ନମ୍ବର ପ୍ରଦାନ କରିବାକୁ ପଡ଼ୁଛି। ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଧାର ଓ ପାନ୍ ଭିତରେ ଅଦଳବଦଳର ପ୍ରସ୍ତାବ ମଧ୍ୟ ରଖିଛନ୍ତି। ହୁଏତ ଅନେକ ଲୋକ ଏକଥା ଜାଣିନଥିବେ ଯେ ଆୟକର ବିଭାଗ ଠାରୁ ତତ୍କାଳ ଇ-ପାନ୍ ହାସଲ କରାଯାଇପାରିବ। ଯେଉଁମାନଙ୍କ ପାଖରେ ପାନ୍ କାର୍ଡ ନାହିଁ ସେମାନେ ଏହି ବିକଳ୍ପ ଚୟନ କରିପାରିବେ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ସରକାର ଏକ ପାନ୍/ଟାନ୍ ପ୍ରୋସେସିଂ କେନ୍ଦ୍ର ସ୍ଥାପନ କରୁଛନ୍ତି। ଏହା ଜରିଆରେ ତତ୍କାଳ କିମ୍ବା ସର୍ବାଧିକ ୧୦ ମିନିଟ୍‌ରେ ଇ-ପାନ୍ ଜାରି କରାଯାଇପାରିବ। ସାଧାରଣ ପାନ୍‌ କାର୍ଡ‌ରେ ଯେଉଁ ସବୁ କାମ ହେଉଛି ତାହାକୁ ଇ-ପାନ୍ ଜରିଆରେ କରାଯାଇପାରିବ। ଯେଉଁ ସବୁ ଲୋକମାନଙ୍କ ପାନ୍ ଆବେଦନକୁ ନ୍ୟାସନାଲ୍ ସିକ୍ୟୁରିଟି ଡିପୋଜିଟୋରି ଲିମିଟେଡ୍ (ଏନ୍‌ଏସ୍‌ଡିଏଲ୍‌) ଦାଖଲ କରିଥିବ ସେମାନେ www.onlineservices.nsdl.comରୁ ଇ-ପାନ୍ ଡାଉନ୍‌ଲୋଡ୍ କରିପାରିବେ।

ସମ୍ବନ୍ଧିତ ଖବର