ଉତ୍ତର ଭାରତରେ ଗୁରୁତର ବିଜୁଳି ସଂକଟ: ଦୁଇଦିନ ପରେ ଦିଲ୍ଲୀ ଅନ୍ଧାର ହୋଇଯିବ!

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେଜ୍ରିୱାଲ, ପଂଜାବରେ ବିଜୁଳି କାଟ୍ ଆରମ୍ଭ, ୟୁପିରେ ୧୪ ପ୍ଲାଣ୍ଟରେ ଉତ୍ପାଦନ ଠପ୍‌

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍‌ଗୁଡ଼ିକରେ କୋଇଲାର ଉତ୍କଟ ଅଭାବ ଦେଖାଦେଇଛି। ଏହାର ପ୍ରଭାବରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି। ଏପରିକି ଉତ୍ତର ପ୍ରଦେଶ‌ର କେତେକ ପ୍ଲାଣ୍ଟ ବନ୍ଦ‌ ହୋଇଯାଇଛି। କେବଳ ସେତିକି ନୁହେଁ, ଆବଶ୍ୟକତା ଅନୁଯାୟୀ ବିଜୁଳି ଯୋଗାଣ ହୋଇ ପାରୁ ନଥିବାରୁ ଉତ୍ତର ପ୍ରଦେଶ ଏବଂ ପଞ୍ଜାବରେ ବିଜୁଳି କାଟ ଆରମ୍ଭ ହୋଇଯାଇଛି। କୋଇଲା ଯୋଗାଣ ସ୍ଥିତିରେ ସୁଧାର ନଆସିଲେ ଦୁଇଦିନ ପରେ ଦିଲ୍ଲୀ ଅନ୍ଧାର ମଧ୍ୟକୁ ଚାଲିଯିବ ବୋଲି ଦିଲ୍ଲୀର ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। କରୋନାର ଦ୍ବିତୀୟ ଲହରରେ ‌ଅକ୍ସିଜେନର ଅଭାବ ଯେଭଳି ରହିଥିଲା ବର୍ତ୍ତମାନର ପରିସ୍ଥିତି ସେଭଳି ହୋଇଛି ବୋଲି ସେ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ପରିସ୍ଥିତି ସଂପର୍କରେ ମୁହଁ‌ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏ ଏକ ଚିଠି ଶନିବାର ଲେଖିଛନ୍ତି। ‌ବିଦ୍ୟୁତ୍ ପ୍ଲାଣ୍ଟ ଗୁଡ଼ିକୁ ଯେଭଳି ପର୍ଯ୍ୟାପ୍ତ ପରିମାଣର କୋଇଲା ଏବଂ ଗ୍ୟାସ ଉପଲବ୍ଧ ହୋଇପାରିବ ତାହାର ବ୍ୟବସ୍ଥା କରିବାକୁ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏକ ଟ୍ବିଟ୍ କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଜୁଳି ସଂକଟର ସାମ୍ନା କରିପାରେ। ପରିସ୍ଥିତି ଉପରେ ମୁଁ ବ୍ୟକ୍ତିଗତ ନଜର ରଖିଛି। ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ଆମେ ଯଥାସାଧ୍ୟ ଉଦ୍ୟମ କରୁଛୁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ି ତାଙ୍କୁ ଏକ ଚିଠି ଲେଖିଛି ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲଙ୍କ ଟ୍ବିଟ୍ ପରେ ଦିଲ୍ଲୀର ଶକ୍ତିମନ୍ତ୍ରୀ ଶ୍ରୀ ଜୈନ ଉପରୋକ୍ତ ବିବୃତି ଦେଇଛନ୍ତି। ତେବେ କେନ୍ଦ୍ର ସରକାର କୋଇଲା ଯୋଗାଣ ସ୍ଥିତି ଉପରେ ପ୍ରତିଦିନ ନଜର ରଖିଛନ୍ତି। କୋଲ୍ ଇଣ୍ଡିଆ ଲିମିଟେଡ ସହ ଯୋଗାଯୋଗରେ ଅଛନ୍ତି। ଏଥିସହିତ ଭାରତୀୟ ରେଳପଥ ବିଦ୍ୟୁତ ଉତ୍ପାଦନ ୟୁନିଟଗୁଡ଼ିକୁ କୋଇଲା ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ଆଶା ରହିଛି ବୋଲି ଶକ୍ତି ମନ୍ତ୍ରାଳୟ ଦୃଢ଼ ଆଶା ପୋଷଣ କରିଛି।

ନୂଆଦିଲ୍ଲୀ: ପଞ୍ଜାବରେ କୋଇଲା ଅଭାବ ଯୋଗୁ ବିଦ୍ୟୁତ ପ୍ଲାଣ୍ଟ୍ ଗୁଡ଼ିକରେ ଉତ୍ପାଦନ ବ୍ୟାହତ ହୋଇଛି। ଉତ୍ପାଦନ କ୍ଷମତା ଠାରୁ କମ୍ ବିଜୁଳି କାରଖାନା ଗୁଡ଼ିକ ଉତ୍ପାଦନ କରୁଛନ୍ତି। ଫଳରେ ବଜାରରେ ବଣ୍ଟନ କମ୍ପାନି ଗୁଡ଼ିକ ବିଜୁଳି କାଟ ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଳି କରି ଲୋଡ୍ ସେଡିଂ କରାଯାଉଛି। ରାଜ୍ୟରେ କୋଇଲାକୁ ‌ଜାଳେଣି ଭାବେ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ଲାଣ୍ଟ ଗୁଡ଼ିକରେ ୫ ଦିନ ପାଇଁ ଏହି କଞ୍ଚାମାଲ ରହିଛି ବୋଲି ପଞ୍ଜାବ ରାଜ୍ୟ ବିଦ୍ୟୁତ୍ ନିଗମ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି। କାରଖାନାଗୁଡ଼ିକ କମ୍ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି। କୋଇଲା ବଞ୍ଚାଇ ରଖିବାକୁ ପଡ଼ୁଥିବାରୁ କାରଖାନାକୁ ପୂର୍ଣ୍ଣ କ୍ଷମତାରେ ପରିଚାଳନା କରିବା ସମ୍ଭବ ହେଉନାହିଁ। ପଞ୍ଜାବ ପାଇଁ ବିଦ୍ୟୁତ୍ ଚାହିଦା ପ୍ରାୟ ୯୦୦୦ ମେଗାୱାଟ୍ ରହିଛି।

କୃଷି କ୍ଷେତ୍ରର ଆବଶ୍ୟକତା ସହିତ ଦିନରେ ତାପମାତ୍ରା ଅଧିକ ରହୁଥିବା ବିଦ୍ୟୁତ୍ ଚାହିଦା ବଢ଼ିଯାଇଛି। ରାଜ୍ୟ ବିଦ୍ୟୁତ୍ ନିଗମର ଅଧିକାରୀମାନେ ଯଦିଓ କମ୍ ଲୋଡ ସେଡିଂ ହେଉଥିବା କହୁଛନ୍ତି ତଥାପି ରାଜ୍ୟର ଅନେକ ଅ‌ଞ୍ଚଳରେ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କଟୁଥିବା ରିପୋର୍ଟ ମିଳିଛି। ୩ଟି ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀଙ୍କ ନିକଟରେ ୨ ଦିନ ପର୍ଯ୍ୟନ୍ତ ଏବଂ ସରକାରୀ ତାପଜ ପ୍ଲାଣ୍ଟ ଗୁଡ଼ିକ ନିକଟରେ ୪ରୁ ୫ ଦିନ ପର୍ଯ୍ୟନ୍ତ କୋଇଲା ଉପଲବ୍ଧ ରହିଛି। କେନ୍ଦ୍ରୀୟ ବିଦ୍ୟୁତ୍ ଆୟୋଗ (ସିଇଏ)ଙ୍କ ମାଗଦର୍ଶିକା ଅନୁଯାୟୀ କୋଇଲା ଖଣିରୁ ୧୦୦୦ କିମି ଦୂରରେ ଥିବା ପ୍ଲାଣ୍ଟ ଗୁଡ଼ିକରେ ଅତିକମରେ ୩୦ ଦିନ ପର୍ଯ୍ୟନ୍ତ କୋଇଲା ମହଜୁଦ ରହିବାର ଆବଶ୍ୟକତା ରହିଛି। କିନ୍ତୁ ତାହା ପାଳନ ହେଉନାହିଁ। ଶୁକ୍ରବାର ପାୱାର ପ୍ଲାଣ୍ଟଗୁଡ଼ିକୁ ଅଳ୍ପକିଛି କୋଇଲା ଯୋଗାଇ ଦିଆଯାଇଛି। କମ୍ ବିଜୁଳି ଉତ୍ପାଦନ କାରଣରୁ ପିଏସପିସିଏଲ ପାୱାର ‌ଏକ୍ସଚେଞ୍ଜରୁ ୟୁନିଟ ପିଛା ୧୦ ଟଙ୍କା ଦେଇ ବିଜୁଳି କ୍ରୟ କରୁଛି। ନିଗମର ସିଏମଡି ଏ ବେଣୁପ୍ରସାଦ କୋଇଲା ଯୋଗାଣ ବଢ଼ାଇବା ପାଇଁ ଏକ ଚିଠି ମଧ୍ୟ ଲେଖିଛନ୍ତି।

ଉତ୍ତର ପ୍ରଦେଶରେ କୋଇଲା ଅଭାବ ପାଇଁ ୮ଟି ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଥିବାବେଳେ ଅନ୍ୟାନ୍ୟ କାରଣ ପାଇଁ ୬ଟି ପ୍ଲାଣ୍ଟ ବନ୍ଦ ରହିଛି। ତେଣୁ ‌ଉତ୍ତର ପ୍ରଦେଶରେ ୧୪ଟି ବିଦ୍ୟୁତ୍ ପ୍ଲାଣ୍ଟରେ ଉତ୍ପାଦନ ଠପ୍ ହୋଇଯାଇଛି। ଉତ୍ତର ପ୍ରଦେଶର ବିଦ୍ୟୁତ୍ ଚାହିଦା ଏବେ ୨୦ ହଜାରୁ ୨୧ ହଜାର ମେଗାୱାଟ୍ ରହିଥିବାବେଳେ ଯୋଗାଣ ୧୭ ହଜାର ମେଗାୱାଟ ରହିଛି। ଏହି ସମସ୍ୟା ଯୋଗୁ ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ୪ରୁ ୫ ଘଣ୍ଟା ବିଜୁଳି କାଟ ହେଉଛି। ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଏହି ୧୪ଟି ପ୍ଲାଣ୍ଟରୁ ୪୫୨୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଥିଲା।

ସମ୍ବନ୍ଧିତ ଖବର