ହ୍ଵାଟ୍ସଆପକୁ ସରକାରଙ୍କ ଚେତାବନୀ : ମିଛ ଖବରକୁ ନିୟନ୍ତ୍ରଣ କରିବାକୁ ଆହୁରି ଫଳପ୍ରଦ ପଦକ୍ଷେପ ନିଅ

ନୂଆଦିଲ୍ଲୀ : ହ୍ଵାଟ୍ସଆପ ଉପରେ ଅଧିକ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ଆଜି ହ୍ଵାଟ୍ସଆପର ସିଇଓ କ୍ରିସ ଡାନିଏଲ୍ସ କେନ୍ଦ୍ର ସୂଚନାପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ହ୍ଵାଟ୍ସଆପ ଭାରତରେ ନିଜର ଅଭିଯୋଗ କେନ୍ଦ୍ର ଖୋଲୁ, ଯଦ୍ୱାରା ଲୋକମାନେ ସହଜରେ କମ୍ପାନି ନିକଟରେ ପହଞ୍ଚିପାରିବେ । ସେହିପରି ହ୍ଵାଟ୍ସଆପ ଭାରତୀୟ ନିୟମକୁ ପାଳନ କରୁ । କାରଣ ହ୍ଵାଟ୍ସଆପକୁ କେନ୍ଦ୍ର କରି ଆମ ଦେଶରେ ଅପରାଧ ଘଟିଲେ ଆଇନଗତ ମାମଲା ପାଇଁ ଆମକୁ ଯୋପରି ଆମେରିକା ଦୌଡିବାକୁ ନପଡେ । ସେହିପରି ଭାରତରେ କମ୍ପାନି ନିଜର ଏକ ସ୍ୱୟଂସଂପୂର୍ଣ୍ଣ ୟୁନିଟ୍‌ ଖୋଲୁ ।

ହ୍ଵାଟ୍ସଆପ ମାଧ୍ୟମରେ ମିଥ୍ୟାଖବର ବ୍ୟାପୁଥିବାରୁ ଗତ ମାସରେ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏସବୁ ଗୁଜବ ସୃଷ୍ଟି କରୁଥିବା ଖବରକୁ ନିୟନ୍ତ୍ରଣ କରିବାକୁ ହ୍ଵାଟ୍ସଆପକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଭବିଷ୍ୟତରେ ଯେପରି ମିଥ୍ୟା ଖବର ନ ବ୍ୟାପେ ସେଥିପାଇଁ ଉପଯୁକ୍ତ ପ୍ରଯୁକ୍ତିର ବ୍ୟବହାର କରି ପଦକ୍ଷେପ ନେବାକୁ ହ୍ଵାଟ୍ସଆପକୁ ସରକାର କହିଥିଲେ । ଏହାର ଜବାବର ରଖି ଆଜି ହ୍ଵାଟ୍ସଆପ କହିଥିଲା ଯେ ଗୁଜବ ସୃଷ୍ଟି କାରୀ ଖବରଗୁଡ଼ିକୁ ନିୟନ୍ତ୍ରଣ କରିବାକୁ କମ୍ପାନି କାର୍ଯ୍ୟକରୁଛି । ଏହାକୁ ଫଳପ୍ରଦଭାବେ ନିୟନ୍ତ୍ରଣ କରିବାକୁ ହେଲେ ସରକାର, ସମାଜ ଓ ପ୍ରଯୁକ୍ତ କମ୍ପାନିମାନଙ୍କର ମିଳିତ ଉଦ୍ୟମ ଲୋଡା ।

ସମ୍ବନ୍ଧିତ ଖବର