ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜୋର ଧରିଛି | ଏହାର ସପକ୍ଷରେ କେହି ଯୁକ୍ତି ବାଢୁଥିବାବେଳେ କେହି କେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି | ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ବହୁ ପରିମାଣରେ ଲୋକ ଚାକିରି ହରାଇବେ ବୋଲି କୁହାଯାଉଥିବାବେଳେ ଏହି ଆଶଙ୍କା କେତେ ସତ ତାହା ସମୟ ହିଁ କହିବ | ତେବେ ଅନଲାଇନ୍ କଣ୍ଟେଣ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ ଚଳାଉଥିବା କମ୍ପାନୀ ନେଟଫ୍ଲିକ୍ସ ନିକଟରେ ଏକ ଚାକିରି ଅଫର ଦେଇଛି | କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଡକ୍ଟ ମ୍ୟାନେଜର ପାଇଁ ବିଜ୍ଞାପନ ଦେଇଛି | ତେବେ ନେଟଫ୍ଲିକ୍ସ ଏମିତି ଏକ ସମୟରେ ଏହି ବିଜ୍ଞାପନ ବାହାର କରିଛି ଯେତେବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ହଲିଉଡରେ ଏକ ବିରାଟ ବିରୋଧ ଦେଖାଦେଇଛି |
ମନୋରଞ୍ଜନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ନିର୍ଭରଶୀଳତାକୁ ନେଇ ହଲିଉଡର ରାଇଟର୍ସ ଆସୋସିଏସନ୍ ବିରୋଧ କରୁଛନ୍ତି । ତଥାପି, ନେଟଫ୍ଲିକ୍ସର ଏହି ଚାକିରି ବିଷୟରେ କହିବାକୁ ଗଲେ କମ୍ପାନୀ ଏଇ ପଦବୀ ପାଇଁ ବାର୍ଷିକ ପ୍ରାୟ ୭.୪ କୋଟି ଟଙ୍କାର ଦରମା ଦେବ | ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଡକ୍ଟ ମ୍ୟାନେଜରଙ୍କ କାର୍ଯ୍ୟ ହେଉଛି ନେଟଫ୍ଲିକ୍ସର ମେସିନ୍ ଲର୍ନିଂ ପ୍ଲାଟଫର୍ମରେ ଉନ୍ନତି ଆଣିବା ଏବଂ କଣ୍ଟେଣ୍ଟ ସୃଷ୍ଟି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରିବା | ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଡକ୍ଟ ମ୍ୟାନେଜର ବ୍ୟତୀତ ନେଟଫ୍ଲିକ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଉଛି | ବୈଷୟିକ ନିର୍ଦ୍ଦେଶକ ପାଇଁ ମଧ୍ୟ କମ୍ପାନୀ ବିଜ୍ଞାପନ ଦେଇଛି | ଏହି ପଦ ପାଇଁ କମ୍ପାନୀ ଦ୍ୱାରା ବାର୍ଷିକ ୩.୭୦ କୋଟିରୁ ୫.୩୫ କୋଟି ଟଙ୍କାର ବେତନ ଦେବ।