ନୂଆଦିଲ୍ଲୀ : ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହେବା ପରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କଂପାନିଗୁଡ଼ିକ ପାଣ୍ଠି ଯୋଗାଡ଼ କରିବା ଲାଗି ପ୍ରଥମ ଥର ପାଇଁ ଷ୍ଟକ ବଜାରରେ ପ୍ରବେଶ କରୁଛନ୍ତି। ନିବେଶକମାନଙ୍କୁ ନିଜ ସଂସ୍ଥାର ସେୟାର ବିକ୍ରି କରି ସେମାନେ ପାଣ୍ଠି ଯୋଗାଡ଼ କରୁଛନ୍ତି। ଯେଉଁ ସଂସ୍ଥା ପ୍ରଥମ ଥର ଷ୍ଟକ ବଜାରରେ ପ୍ରବେଶ କରେ ତାହାକୁ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରିବାକୁ ପଡ଼େ। ଆସନ୍ତା ନଭେମ୍ବର ମାସର ପ୍ରଥମ ଭାଗରେ ୭ଟି ସଂସ୍ଥା ନିଜର ଆଇପିଓ ଆଣିବେ। ସେମାନେ ହେଉଛନ୍ତି ପେଟିଏମ୍, ପଲିସିବଜାର, ସାଫାୟାର ଫୁଡସ୍, ଏସ୍ଜେଏସ୍ ଏଣ୍ଟରପ୍ରାଇଜେସ୍ ଓ ସିଗାଚି ଇଣ୍ଡଷ୍ଟ୍ରିଜ୍। ଇ-କମର୍ସ ସଂସ୍ଥା ନାୟକା ଓ ଫିନୋ ପେମେଣ୍ଟ୍ ବ୍ୟାଙ୍କ ମଧ୍ୟ ନିଜର ଆଇପିଓ ଜାରି କରିବେ। ଏହି ସମସ୍ତ ସଂସ୍ଥା ପୁଞ୍ଜି ବଜାରରୁ ୩୩,୫୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛନ୍ତି।ପେଟିଏମ୍ ଷ୍ଟକ ବଜାରରୁ ୧୮,୩୦୦ କୋଟି ଟଙ୍କା ହାସଲ କରିବା ଲାଗି ନଭେମ୍ବର ୮ରେ ଅଇପିଓ ଜାରି କରିବ। ପେଟିଏମ୍ର ସେୟାର ପିଛା ମୂଲ୍ୟ ୨୦୮୦ ଟଙ୍କାରୁ ୨୧୫୦ ଟଙ୍କା ମଧ୍ୟରେ ରହିବ। ପଲିସିବଜାର ଡଟ୍ କମ୍ ୫,୭୧୦ କୋଟି ଟଙ୍କାର ଆଇପିଓ ଆଣିବ। କଂପାନିର ସେୟାର ପିଛା ମୂଲ୍ୟ ୯୪୦-୯୮୦ ଟଙ୍କା ମଧ୍ୟରେ ରହିବ। କେଏଫ୍ସି ଓ ପିଜ୍ଜା ହଟ୍ ଆଉଟ୍ଲେଟ୍ ପରିଚାଳନା କରୁଥିବା ସଂସ୍ଥା ସାଫାୟାର୍ ଫୁଡ୍ସ ଇଣ୍ଡିଆ ୧୫୦୦-୨୦୦୦ କୋଟି ଟଙ୍କାର ଆଇପିଓ ଆଣିବ। ସେହିପରି, ଏସ୍ଜେଏସ୍ ଏଣ୍ଟରପ୍ରାଇଜେସ୍ ଆଇପିଓ ଜରିଆରେ ୮୧୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଷ୍ଟକ ବଜାରରୁ ନାୟକା ୫,୩୫୨ କୋଟି ଟଙ୍କା ଓ ଫିନୋ ପେମେଣ୍ଟ୍ ବ୍ୟାଙ୍କ ୧୨୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।। ସିଗାଚି ଇଣ୍ଡଷ୍ଟ୍ରିଜ୍ ଷ୍ଟକ ବଜାରରୁ ପ୍ରାୟ ୧୨୫ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବା ଲାଗି ଆଇପିଓ ଆଣିବ।
୨୦୨୧ରେ ବର୍ତ୍ତମାନ ସୁଦ୍ଧା ୪୧ଟି କଂପାନି ଆଇପିଓ ଜରିଆରେ ୬୬,୯୧୫ କୋଟି ଟଙ୍କା ହାସଲ କରିଛନ୍ତି। ଚଳିତ ବର୍ଷ ଷ୍ଟକ ବଜାରରୁ ପାଣ୍ଠି ହାସଲ ପରିମାଣ ଲକ୍ଷେ କୋଟି ଟଙ୍କା ଟପିବ ବୋଲି ଆଶା କରାଯାଉଛି। ପାୱାରଗ୍ରିଡ୍ର ସଂସ୍ଥା ଇନ୍ଭଆଇଟି ୭,୭୩୫ କୋଟି ଟଙ୍କା ହାସଲ କରିଥିବା ବେଳେ ବ୍ରୁକ୍ଫିଲ୍ଡ ଇଣ୍ଡିଆ ରିଅଲ ଇଷ୍ଟେଟ୍ ଟ୍ରଷ୍ଟ୍ ୩,୮୦୦ କୋଟି ଟଙ୍କା ଯୋଗାଡ଼ କରିଛି। ୨୦୨୦ ବର୍ଷ ସାରାରେ ୧୫ଟି କଂପାନି ଷ୍ଟକ ବଜାରରୁ ମୋଟ ୨୬,୬୧୧ କୋଟି ଟଙ୍କା ହାସଲ କରିଥିଲେ। ଚଳିତ ବର୍ଷ ଏହାର ତିନି ଗୁଣା ଅଧିକ ପାଣ୍ଠି ମିଳିସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/BSE_bld_Abt.jpg)