୨,୧୪୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
୩ଟି ଇଥାନଲ୍ ପ୍ଲାଣ୍ଟ୍ ସ୍ଥାପନ ହେବ
ଖୋର୍ଦ୍ଧାରେ ହେବ ୨ଟି ପଞ୍ଚତାରକା ହୋଟେଲ୍
ଭୁବନେଶ୍ବର : ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ବୈଠକରେ ଆଜି ୨୦୮୩.୮୮ କୋଟି ଟଙ୍କା ମୂଲ୍ୟର ସାତଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନୁମୋଦିତ ହୋଇଥିବା ଶିଳ୍ପ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨,୧୪୪ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ଓ ବହୁ ପରିମାଣର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବିଦ୍ୟୁତ ଓ ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଲାଗି ଆସିଥିବା ପ୍ରକଳ୍ପଗୁଡ଼ିକୁ ଆଜି ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ବୈଠକରେ ଉପସ୍ଥିତ ଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି। ଏହି ସବୁ ପ୍ରକଳ୍ପ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ସଚିବ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଇଣ୍ଡିଆନ ଅଏଲ୍ ଓ ଏଚ୍ପିସିଏଲ୍ର ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି। ଇଣ୍ଡିଆନ ଅଏଲ୍ର ତରଫରୁ ୮୭୦ କୋଟି ଟଙ୍କା ବିନିଯୋଗରେ ବାଲେଶ୍ବର ଜିଲ୍ଲାର ବାଲଗୋପାଳପୁର ଶିଳ୍ପାଞ୍ଚଳରେ ଏକ ଶସ୍ୟ ଭିତ୍ତିକ ଇଥାନଲ୍ କାରଖାନା ସ୍ଥାପନ କରାଯିବ। ସେହି କାରଖାନାର ଉତ୍ପାଦନ କ୍ଷମତା ୫୦୦ କେଏଲ୍ପିଡି ରହିବ। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ୍) ପକ୍ଷରୁ ୫୦୦ କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଏକ ଶସ୍ୟ ଭିତ୍ତିକ ୫୦୦ କେଏଲ୍ପିଡିର ଇଥାନଲ୍ କାରଖାନା ସ୍ଥାପନ କରାଯିବ। ଏହା ବ୍ୟତୀତ ନିୱାଲ୍ଟ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୨୫ କୋଟି ଟଙ୍କା ବିନିଯୋଗରେ ଅନୁଗୁଳର ବନ୍ତଳା ଠାରେ ଏକ ୧୦୦ କେଏଲ୍ପିଡିର ଇଥାନଲ୍ କାରଖାନା ସ୍ଥାପନ କରାଯିବ। ଏହି ତିନି ଇଥାନଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ ପାଇବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା କହିଛନ୍ତି।
ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ସ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର୍ ପ୍ରସ୍ତାବକୁ ମଧ୍ୟ ଆଜିର ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ସଂସ୍ଥା ୧୫୦ କୋଟି ଟଙ୍କା ବ୍ୟୟରେ ଜଗତସିଂହପୁର କୁଜଙ୍ଗରେ ଏକ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରିବ। ଆଦିତ୍ୟ ବିର୍ଲା ରିନୁଏବଲ୍ସ ଲିମିଟେଡ୍ ତରଫରୁ ୮୯.୪୪ କୋଟି ଟଙ୍କା ବିନିଯୋଗରେ ବଲାଙ୍ଗୀରର ସଇଁତଳାରେ ୧୮.୭୫ ମେଗାୱାଟ୍ କ୍ଷମତାର ଏକ ସୌର ଶକ୍ତି ପ୍ଲାଣ୍ଟ୍ ସ୍ଥାପନ କରାଯିବ। ଆଟ୍ମୋସ୍ଫିୟର କୋର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ୧୮୪.୬୪ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ପଞ୍ଚତାରକା ଡିଲକ୍ସ ହୋଟେଲ୍ ସ୍ଥାପନ କରାଯିବ। ଡିଏନ୍ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ମଧ୍ୟ ୧୬୪.୮୦ କୋଟି ଟଙ୍କା ବ୍ୟୟରେ ଚନ୍ଦକା ନିକଟରେ ଏକ ପଞ୍ଚତାରକା ହୋଟେଲ୍ ସ୍ଥାପନ କରାଯିବ। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/money.jpg)