ଗୁରୁଦ୍ୱାରାର ୧୦୦ କୋଟି ଜମା ବନ୍ଧା ପଡ଼ିଛି ଜାଲିଆତି କବଳିତ ପିଏମସି ବ୍ୟାଙ୍କରେ, ଚିନ୍ତାରେ କର୍ତ୍ତୃପକ୍ଷ

ମୁମ୍ବାଇ : ବ୍ୟାପକ ଜାଲିଆତି ଲାଗି ରିଜର୍ଭ ବ୍ୟାଙ୍କ ଅଙ୍କୁଶର ଶିକାର ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋପରେଟିଭ୍ ବ୍ୟାଙ୍କ(ପିଏମ୍ସି ବ୍ୟାଙ୍କ)ରେ ବିଭିନ୍ନ ଗୁରୁଦ୍ୱାରାର ୧୦୦ କୋଟି ଟଙ୍କାରୁ ଅଧିକ ଜମା ପଡ଼ି ରହିଥିବା ଜଣାପଡ଼ିଛି । ଏହି ବ୍ୟାଙ୍କରେ ଯେଉଁ ଗୁରୁଦ୍ୱାରାଗୁଡ଼ିକର ଜମା ରାଶି ରହିଛି ସେମାନେ ବ୍ୟାଙ୍କ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରିଜର୍ଭ ବ୍ୟାଙ୍କ୍ ପିଏମ୍ସି ବ୍ୟାଙ୍କରୁ ଜମାକାରୀମାନଙ୍କ ଟଙ୍କା ବାହାର କରିବା ପରିମାଣ ଉପରେ ଅଙ୍କୁଶ ଲଗାଇଛନ୍ତି । ଫଳରେ ନଭେମ୍ବର ୧୨ ତାରିଖରେ ପାଳନ ହେବାକୁ ଥିବା ଗୁରୁପର୍ବର ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହେବ ।

ପିଏମ୍ସି ବ୍ୟାଙ୍କର ଜମାକାରୀ ୬ ମାସ ମଧ୍ୟରେ ସର୍ବାଧିକ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ କାଢ଼ିପାରିବେ । ଏଥିପୂର୍ବରୁ ରିଜର୍ଭ ବ୍ୟାଙ୍କ ଏହି ସୀମା ୧୦,୦୦୦ ଟଙ୍କା ରଖିଥିଲେ । ଯେହେତୁ ୬ ମାସ ମଧ୍ୟରେ ମାତ୍ର ୨୫,୦୦୦ ଟଙ୍କା ବାହାର କରିହେବ, ତେଣୁ ଏହା ଜମାକାରୀଙ୍କୁ ଅସୁବିଧାରେ ପକାଇବ । ବିଶେଷ କରି ଗୁରୁଦ୍ୱାରା ଭଳି ଆନୁଷ୍ଠାନଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେବେ ।

ରିଜର୍ଭ ବ୍ୟଙ୍କର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ ପିଏମ୍ସି ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ଓ ଜାଲିଆତି ହୋଇଥିବା ଧରାପଡ଼ିବା ପରେ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଜାଲିଆତି ମାମଲାରେ ନିକଟରେ ପୁଲିସ ୪ ଜଣଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି ।

ସମ୍ବନ୍ଧିତ ଖବର