ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଆୟ ଅସମାନତାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଧନୀକ ବର୍ଗ ଓ ଗରିବ ଶ୍ରେଣୀ ମଧ୍ୟରେ ବୃଦ୍ଧି ପାଉଥିବା ଅସମାନତା ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିବ। ଗତବର୍ଷ ମହାମାରୀ ପ୍ରଭାବ ଯୋଗୁଁ ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ଥର ଲାଗି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଛି। ଏହା ଦ୍ବାରା ଅଣସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହୋଇଛନ୍ତି। ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମହାମାରୀର ଦ୍ବିତୀୟ ଲହର ଦେଖାଦେବା ପରେ ସେହି ଆଶା ମଉଳି ଯାଇଥିବା ସେ କହିଛନ୍ତି।

Advertisment

ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃ୍ଦ୍ଧି ୯.୫% ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଯଦି ସେହି ହାରରେ ଅଭିବୃଦ୍ଧି ହେବ ତେବେ ମହାମାରୀର ଦୁଇ ବର୍ଷ ପୂର୍ବରୁ ଥିବା ସ୍ଥିତି ଠାରୁ ତାହା କମ୍ ରହିବ। ଚୀନ୍ କେବେବି ମହାମାରୀ ପୂର୍ବ ସ୍ଥିତି ତଳକୁ ଖସି ନଥିବା ବେଳେ ଆମେରିକା ମଧ୍ୟ ଖୁବ୍‌ଶୀଘ୍ର ମହାମାରୀ ପୂର୍ବ ସ୍ଥିତି ହାସଲ କରିବ ବୋଲି ସେ କହିଛନ୍ତି। ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ମହାମାରୀ ଦେଖାଦେବା ପରେ ଅଧିକାଂଶ ଲୋକ ଚାକିରି ହରାଇଥିବା ବେଳେ ସେମାନଙ୍କ ଆୟ ହ୍ରାସ ପାଇଛି। ସେହି ସମୟରେ କିଛି ହାତଗଣତି ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବଢ଼ିଛି। ଏହା ନୈତିକ ଦୃଷ୍ଟିରୁ ଭୁଲ ଓ ରାଜନୈତିକ ଦୃଷ୍ଟିରୁ କ୍ଷତିକାରକ ବୋଲି ସେ କହିଛନ୍ତି। ଦେଶ ଭିତର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିଦେଶୀ ନିବେଶ ଆସୁଥିବା ବେଳେ ଷ୍ଟକ ବଜାରରେ ମଧ୍ୟ ଉତ୍ସାହ ରହିଛି। ଏହା ଦ୍ବାରା କେବଳ ସେହି ଲୋକମାନେ ଲାଭବାନ ହୋଇଛନ୍ତି ଯେଉଁମାନଙ୍କ ପାଖରେ ନିବେଶ କରିବା ଭଳି ସମ୍ପତ୍ତି ରହିଛି। ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ତଥ୍ୟ ଆଧାରରେ ସେ କହିଛନ୍ତି ଯେ କୋଭିଡ୍ ମହାମାରୀ ପ୍ରଭାବରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଗ୍ରାମାଞ୍ଚଳରେ ବେକାରି ହାର ୧୫ ପ୍ରତିଶତ ବଢ଼ିଥିବା ବେଳେ ସହରାଞ୍ଚଳରେ ୨୦% ବଢ଼ିଛି। ସିଏମ୍‌ଆଇଇ ତଥ୍ୟ ଅନୁସାରେ ମେ' ମାସରେ ବେକାରି ହାର ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏକ କୋଟି ଲୋକ ନିଯୁକ୍ତି ହରାଇଥିବା ବେଳେ ଦେଶର ୯୭ ପ୍ରତିଶତ ପରିବାରର ଅ‌ାୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

ଗ୍ରାମାଞ୍ଚଳ ସ୍ଥିତି ସମ୍ପର୍କରେ ସୁବ୍ବାରାଓ କହିଛନ୍ତି ଯେ ମେଡିକାଲ୍ ଖର୍ଚ୍ଚରେ ଗରିବ ପରିବାରର ସବୁ ସଞ୍ଚୟ ଧୋଇ ହୋଇଗଲାଣି। ଗ୍ରାମାଞ୍ଚଳରେ ମେଡିକାଲ୍ ଭିତ୍ତିଭୂମି ଦୁର୍ବଳ ଥିବାରୁ ଲୋକମାନେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଦୁର୍ଦ୍ଦିନରେ ଜୀବନଯାପନ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସୁବ୍ବାରାଓ କହିଛନ୍ତି।
ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କରୋନା ମହାମାରୀର ଭାରତରେ ଧନୀ ଓ ଗରିବଙ୍କ ଭିତରେ ରହିଥିବା ଅସମାନତାକୁ ବହୁତ ବଢ଼ାଇ ଦେଇଛି। ଆୟ ଉତ୍ସ ହରାଇ ଗରିବ ଲୋକମାନେ ଭୋକ ଉପାସରେ ଜୀବନ ଅତିବାହିତ କରୁଥିବା ବେଳେ ଧନୀ ଲୋକମାନେ ବିଳାସବ୍ୟସନରେ ରହିଛନ୍ତି।

ମହାମାରୀରେ ଏଭଳି ଦୁଇ ପ୍ରକାର ଚେହେରା ଭାରତରେ ଦେଖିବାକୁ ମିଳିଛି। ମୁଣ୍ଡପିଛା ଆୟ ହିସାବରେ ବାଲାଂଦେଶ ଠାରୁ ଭାରତ ତଳକୁ ଖସିଆସିଥିବା ବେଳେ ଏଠାରେ ଧନୀ ଲୋକମାନଙ୍କ ଧନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ବିଳାସପୂର୍ଣ୍ଣ କାର୍ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମର୍ସିଡିସ୍‌-ବେଞ୍ଜ୍‌ ପକ୍ଷରୁ ନିକଟରେ ମେବ୍ୟାକ୍ ଏସ୍‌ୟୁଭିର ବଜାର ପ୍ରବେଶ କରାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ୫୦ଟି ଗାଡ଼ି ବିକ୍ରି କରିବାକୁ କଂପାନି ଲକ୍ଷ୍ୟ ରଖିଥିଲା। କିନ୍ତୁ ମାସକ ଭିତରେ ସବୁ ଗାଡ଼ି ବିକ୍ରି ହୋଇଗଲା। ଗୋଟିଏ ମେବ୍ୟାକ୍‌ର ଦାମ୍ ପ୍ରାୟ ୩ କୋଟି ଟଙ୍କା ପାଖାପାଖି ରହିଛି। ଦେଶର ଅନ୍ୟ ପ୍ରମୁଖ କଂପାନିଗୁଡ଼ିକ ନିଜ କାର୍‌ ବିକ୍ରି କରିବାକୁ ସଂଘ ବ୍ୟାକ୍‌ର ଦାମ୍ ପ୍ରାୟ ୩ କୋଟି ଟଙ୍କା ପାଖାପାଖି ରହିଛି। ଦେଶର ଅନ୍ୟ ପ୍ରମୁଖ କଂପାନିଗୁଡ଼ିକ ନିଜ କାର୍‌ ବିକ୍ରି କରିବାକୁ ସଂଘର୍ଷ କରୁଥିବା ବେଳେ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରି କରୁଥିବା ସଂସ୍ଥା ଆଶା ଠାରୁ ଅଧିକ ଭଲ ପ୍ରଦର୍ଶନ କରୁଛି।