କୃଷି ସଂସ୍କାର ସପକ୍ଷରେ ଶକ୍ତିକାନ୍ତ, ସର୍ବନିମ୍ନ ସହାୟକ ମୂଲ୍ୟ ମହଙ୍ଗା ଓ ପ୍ରଭାବହୀନ

୫ଟି କ୍ଷେତ୍ରରେ ବିଶ୍ବର ନେତୃତ୍ବ ନେଇପାରିବ ଭାରତ, କର୍ପୋରେଟ୍ ବଣ୍ଡ୍‌ କିଣିବନି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ବିଗତ କିଛି ବର୍ଷ ହେଲାଣି ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବାରୁ କୃଷି ଆୟରେ ବୃଦ୍ଧି ଆଣିବା ଲାଗି ଦେଶ ପାଇଁ ସ୍ବତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଅନେକ ସମୟରେ ମହଙ୍ଗା ଓ ପ୍ରଭାବହୀନ ସାବ୍ୟସ୍ତ ହେଉଥିବା ସେ କହିଛନ୍ତି। ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମ ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ନିର୍ଧାରିତ ଲକ୍ଷ୍ୟ ଠାରୁ ଭଣ୍ଡାରରେ ପ୍ରାୟ ଅଢ଼େଇ ଗୁଣ ଅଧିକ ଖାଦ୍ୟଶସ୍ୟ ରହିଛି। ଦୁଗ୍ଧ ଓ କିଛି ପ୍ରକାରର ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ଭାରତ ଅଗ୍ରଣୀ ସ୍ଥାନରେ ରହିଛି। କୃଷି କ୍ଷେତ୍ରରେ ନିକଟରେ କରାଯାଇଥିବା କେତେକ ସଂସ୍କାର ନୂତନ ସୁଯୋଗ ସୃଷ୍ଟି କରିଛି। ଏବେ ପ୍ରମୁଖ କୃଷି ସଂସ୍କାରକୁ ସଠିକ୍ ଦିଗରେ କାର୍ଯ୍ୟକାରୀ କରି ତାହାର ଲାଭ ହାସଲ କରିବାକୁ ଉଦ୍ୟମ କରାଯିବା ଦରକାର ବୋଲି ସେ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ଅକ୍ଷୟ ଶକ୍ତି ସମେତ ପ୍ରାୟ ପାଞ୍ଚଟି କ୍ଷେତ୍ର ମଧ୍ୟରେ ଭାରତ ପାଖରେ ବିଶ୍ବର ନେତୃତ୍ବ ନେବା ସୁଯୋଗ ରହିଛି। ସେହି କ୍ଷେତ୍ରଗୁଡ଼ିକ ହେଉଛି, କୃଷି, ଅକ୍ଷୟ ଶକ୍ତି, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ ଓ ଭିତ୍ତିଭୂମି। ଅକ୍ଷୟ ଶକ୍ତି ସମ୍ପର୍କରେ ସେ କହିଛନ୍ତି, ଏହି କ୍ଷେତ୍ରରେ ଉତ୍ପାଦନ ଖର୍ଚ ବହୁତ କମିଛି। ଆମକୁ ‌ସୋଲାର ପ୍ୟାନେଲ୍‌ର ଉତ୍ପାଦନ ପ୍ରତି ଧ୍ୟାନ ଦେବାକୁ ହେବ। ଭାରତ ଏହାର ଅଧିକାଂଶ ସୋଲାର ପ୍ୟାନେଲ୍‌ ଚୀନ୍‌ରୁ ଆମଦାନି କରିଥାଏ। ମାତ୍ର ଲଦାଖ୍‌ରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଓ ଚୀନ୍‌ ମଧ୍ୟରେ ଥିବା ସମ୍ପର୍କ ବିଗିଡ଼ିଯାଇଛି। ତେଣୁ ସୌର ‌ପ୍ୟାନେଲ୍‌ ନିର୍ମାଣରେ ଭାରତକୁ ଆତ୍ମନିର୍ଭର ହେବା ଜରୁରୀ ହୋଇପଡ଼ିଛି। ସେ କହିଛନ୍ତି, କରୋନା ସଂକ୍ରମଣ ପ୍ରଭାବରେ ଷ୍ଟାର୍ଟଅପ୍‌ଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ସେମାନେ ଏବେ ମୂଲ୍ୟକୁ ସୁହାଇବା ଭଳି ପ୍ରଯୁକ୍ତି ବିକଶିତ କରିବାରେ ମନୋନିବେଶ କରିଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଭଳି ନୀତି ଆଣିବା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଆମେରିକା, ବ୍ରି‌ଟେନ୍ ଓ ୟୁରୋପୀୟ ସଂଘ ସହ ଦ୍ବିପାକ୍ଷିକ ବାଣିଜ୍ୟ ବୁଝାମଣା ଖୁବ୍‌ଶୀଘ୍ର ସ୍ବାକ୍ଷର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବଜାରରୁ ନଗଦ ଅଭାବ ଦୂର କରିବା ଲାଗି ବିଶ୍ବର ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ (ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) କର୍ପୋରେଟ୍‌ ବଣ୍ଡ୍‌ କିଣୁଛନ୍ତି। ରିଜର୍ଭ ବ୍ୟାଙ୍କର ସେଭଳି ଯୋଜନା ନାହିଁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର