କ୍ରିପ୍ଟୋକୁ ନିଷିଦ୍ଧ ସପକ୍ଷରେ ଶକ୍ତିକାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ କରିବା ପରେ କ୍ରିପ୍ଟୋକରେନ୍ସିକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ମାନସମନ୍ଥନ ଆରମ୍ଭ ହୋଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ସପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୁକ୍ତି ବାଢ଼ିଛନ୍ତି। ଏହା ଘୋର ଆର୍ଥିକ ଅସ୍ଥିରତା ସୃଷ୍ଟି କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବ୍ଲକ୍‌ଚେନ୍ ପ୍ରଯୁକ୍ତି ନୂଆ ନୁହେଁ। ଏହା ୧୦ ବର୍ଷ ପୁରୁଣା। ପ୍ରଯୁକ୍ତିରେ ବିକାଶ ଜାରି ରହିବା ଦରକାର। କିନ୍ତୁ, ବିନା କ୍ରିପ୍ଟୋରେ ମଧ୍ୟ ପ୍ରଯୁକ୍ତି ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସଂସଦୀୟ କମିଟି ଗତକାଲି କ୍ରିପ୍ଟୋକରେନ୍ସିକୁ ନେଇ ଶିଳ୍ପ ସଂଘ ଓ ବିଶେଷଜ୍ଞମାନେଙ୍କ ସହ ଆଲୋଚନା କରିଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଅଧିକାଂଶ ସାଂସଦ କ୍ରିପ୍ଟୋକରେନ୍ସିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେମାନେ ଏହା ଚାହୁଛନ୍ତି ଯେ ଏହି ଡିଜିଟାଲ୍‌ ମୁଦ୍ରା ନିଷିଦ୍ଧ ନହେଉ। ଏହାକୁ କୌଣସି ଉପାୟରେ ନିୟନ୍ତ୍ରଣ କରାଯାଉ ବୋଲି ବୈଠକରେ ଭାଗ ନେଇଥିବା ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସାରା ବିଶ୍ବରେ ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନେଇ ଉତ୍ସାହ ଜାରି ରହିଥିବା ବେଳେ ଏହି ବିପ୍ଳବରେ ଭାରତ ପଛରେ ରହିବାକୁ ଚାହୁନାହିଁ। ସେଥିପାଇଁ କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସିକୁ ନେଇ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି। ଖୁବ୍‌ଶୀଘ୍ର ଏହା ସଂସଦରେ ଉପସ୍ଥାପନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର