ମୁମ୍ବାଇ: ନିକଟରେ ଅନୁଷ୍ଠିତ ହୋଇଯାଇଥିବା ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ। ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ ଓମିକ୍ରନ ଲହର ପଥଚ୍ୟୁତ କରିବା ଆଶଙ୍କା ରହିଛି ବୋଲି ସେ କହିଥିଲେ। ମୁଦ୍ରାନୀତି କମିଟିରେ ହୋଇଥିବା ଆଲୋଚନା ବିଷୟରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ମୁଦ୍ରାନୀତି କମିଟିର ବୈଠକ ହୋଇଥିଲା। ସେଥିରେ ଶକ୍ତିକାନ୍ତ କହିଥିଲେ ଯେ ପୁରୁଣା ସମସ୍ୟାଗୁଡ଼ିକ ବର୍ଷ ଶେଷ ଆଡ଼କୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଯାହା ଲାଗୁଛି ତାହା ୨୦୨୨ରେ ମଧ୍ୟ ଜାରି ରହିବ। ଅର୍ଥନୀତିରେ ସୁଧାର ହେଉଥିଲେ ମଧ୍ୟ ଘରୋଇ କ୍ଷେତ୍ର ଦ୍ବାରା କରାଯାଉଥିବା ପୁଞ୍ଜିନିବେଶ ଏପର୍ଯ୍ୟନ୍ତ ମହାମାରୀର ପୂର୍ବ ସ୍ଥିତିକୁ ଫେରିନାହିଁ। ଯୋଗାଣ ଶୃଙ୍ଖଳ ସମସ୍ୟା ଜାରି ରହିଛି। ୨୦୨୧ର ପ୍ରଥମ ଭାଗରେ ବିଶ୍ବ ବାଣିଜ୍ୟରେ ଜବରଦସ୍ତ ସୁଧାର ହୋଇଥିଲା। ମାତ୍ର ଦ୍ବିତୀୟ ଭାଗରେ ତାହା ଶିଥିଳ ହୋଇପଡ଼ିଛି। ଲଜିଷ୍ଟିକ୍ସ ସମସ୍ୟା ଓ କେତେକ ପ୍ରମୁଖ ଉପାଦାନର ଅଭାବ ଜାରି ରହିଛି। ଓମିକ୍ରନ ଭାରିଆଣ୍ଟ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ମାନବ ସ୍ପର୍ଶ ଆବଶ୍ୟକ କରୁଥିବା କାମଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଶକ୍ତିକାନ୍ତ କହିଥିଲେ।
ନଭେମ୍ବରରେ ହୋଇଥିବା ବଡ଼ ବର୍ଷାକୁ ନେଇ ଶକ୍ତିକାନ୍ତ ଚିନ୍ତା ପ୍ରକଟ କରିଥିଲେ। ଏହାର ପ୍ରଭାବରେ ପନିପରିବା ମହଙ୍ଗା ହେବାର ଆଶଙ୍କା ରହିଛି ବୋଲି କହିଥିଲେ। ଏହା ହେଲେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡ଼ିବ ବୋଲି ସେ ଜାଣିପାରିଥିଲେ। ଦରଦାମ ସ୍ଥିତି ଉପରେ ଓମିକ୍ରନର ପ୍ରଭାବ ଦୁଇ ଗୁଣା ରହିବ ବୋଲି ସେ ଆକଳନ କରିଥିଲେ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ୍ ଦେବବ୍ରତ ପାତ୍ର ମଧ୍ୟ ଓମିକ୍ରନ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଳେ। ଏହାର ପ୍ରଭାବରେ ୨୦୨୨ର ଦ୍ବିତୀୟ ଭାଗ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବ ବୋଲି ସେ ଆକଳନ କରିଥିଲେ। ଓମିକ୍ରନର ସମ୍ଭାବ୍ୟ ପ୍ରଭାବକୁ ବିଚାରକୁ ନେଇ ସୁଧ ହାରକୁ କ୍ରମାଗତ ନବମ ଥର ଲାଗି ଅପରିବର୍ତ୍ତିତ ରଖିବାକୁ ମୁଦ୍ରାନୀତି କମିଟିର ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ। କେବଳ ସଦସ୍ୟ କମିଟିର ଜୟନ୍ତ ଆର ବର୍ମା ଭିନ୍ନ ମତ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ShaktikantaDas_1562585890686_1562596863139.jpg)