ବେନେଗାଲଙ୍କ ପରେ ଦ୍ବିତୀୟ ସର୍ବାଧିକ ସମୟ ରହିବେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ପ୍ରଥମ ଓଡ଼ିଆ ଭାବେ ଶକ୍ତିକାନ୍ତ ଦାସଙ୍କୁ ୨୦୧୮ ଡିସେମ୍ବର ମାସରେ ନିଯୁକ୍ତି ମିଳିଥିଲା। ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ଇସ୍ତଫା ଦେଇଥିଲେ। ଏହାପରେ କେନ୍ଦ୍ର ସରକାର ତାମିଲନାଡ଼ୁ କ୍ୟାଡରର ୧୯୮୦ ବ୍ୟାଚ ଆଇଏଏସ ଅଫିସର ଶକ୍ତିକାନ୍ତଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତ କରିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହେଉଛି। ତେବେ ଏହା ପୂର୍ବରୁ ସରକାର ତାଙ୍କୁ ଆଉ ୩ ବର୍ଷ ନିଯୁକ୍ତି ଦେଇଛନ୍ତି ବା କାର୍ଯ୍ୟକାଳ ବଢ଼ାଇଛନ୍ତି। ଫଳରେ ଶକ୍ତିକାନ୍ତ ଯଦି ତାଙ୍କର ସଂପ୍ରସାରିତ କାର୍ଯ୍ୟକାଳ ଶେଷ କରନ୍ତି ତାହେଲେ ଦୀର୍ଘବର୍ଷ ପରେ ସେ ହେବେ ସବୁଠୁ ଅଧିକ ଦିନ ଧରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ନିର୍ବାହ କରିଥିବା ବ୍ୟକ୍ତି। ତାଙ୍କ ପୂର୍ବରୁ ବେନେଗାଲ ରାମା ରାଉ ସାଢ଼େ ସାତ ବର୍ଷରୁ ଅଧିକ ସମୟ ଏହି ପଦରେ କାର୍ଯ୍ୟ କରିଛନ୍ତି। ୧୯୪୯ ମସିହା ଜୁଲାଇ ୧ରୁ ୧୯୫୭ ଜାନୁଆରି ୧୪ ପର୍ଯ୍ୟନ୍ତ ବେନେଗାଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଥିଲେ।
ତେଣୁ ଶକ୍ତିକାନ୍ତଙ୍କ ପୂର୍ବରୁ ନିକଟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ବିମଳ ଜଲାନ ୫ ବର୍ଷ ୯ ମାସ ୧୪ ଦିନ ଏହି ଦାୟିତ୍ବ ସମ୍ଭାଳିଛନ୍ତି। ସେହିଭଳି ୱାଇ ଭି ରେଡ୍ଡୀ ୪ ବର୍ଷ ୧୧ ମାସ ୨୯ ଦିନ, ଡି ସୁବ୍ବାରାଓ ୪ ବର୍ଷ ୧୧ ମାସ ୨୯ ଦିନ, ରଘୁରାମ ରାଜନ ୩ ବର୍ଷ ଏବଂ ଉର୍ଜିତ ପଟେଲ ୩ ବର୍ଷରୁ କମ୍ ସମୟ ଏହି ପଦରେ ରହିଥିଲେ।

କାହାର କ’ଣ ମତ
ବ୍ୟାଙ୍କମାନଙ୍କୁ ଉଜାଡ଼ି ଦିଆନଯାଉ
ଜଣେ ଓଡ଼ିଆ ଭାବେ ମୁଁ ବହୁତ ଖୁସି। ମୁଁ ଚାହୁଛି ବ୍ୟାଙ୍କଗୁଡ଼ିକୁ ଉଜାଡ଼ି ଦିଆନଯାଉ। ବ୍ୟାଙ୍କଗୁଡ଼ିକୁ ସଜାଡ଼ିବା ଲାଗି ଅତୀତରେ ଜାତୀୟକରଣ କରାଯାଇଥିଲା। ଏବେ ସେଗୁଡ଼ିକର ଘରୋଇକରଣ କରାଯାଉଛି। ଏହା ଆଦୌଁ ଭଲ ନୁହେଁ। ଅଥର୍ନୀତିର ଦୁର୍ଗତି ଲାଗି ସରକାରଙ୍କ ନୀତି ଦାୟୀ। ଏବେ ଦେଶରେ ଯେଉଁ ଦରଦାମ୍ ସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ସେଥିପାଇଁ ରିଜର୍ଭ ବ୍ୟାଙ୍କୁ ଦାୟୀ କରାଯାଇପାରିବନି। କିନ୍ତୁ ଯଦି ରିଜର୍ଭ ବ୍ୟାଙ୍କର କିଛି କ୍ଷତି ହେବ କିମ୍ବା ରିଜର୍ଭ ବ୍ୟାଙ୍କ ନିଜ କାର୍ଯ୍ୟ ପରିସର ବାହାରକୁ ଯାଇ କିଛି କାର୍ଯ୍ୟ କରିବ ସେଥିପାଇଁ ଶକ୍ତିକାନ୍ତଙ୍କୁ ଦାୟୀ କରାଯାଇପାରିବ।
ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ, ଓଡ଼ିଶା

ଅନ୍ୟମାନଙ୍କ ସହ ଆଲୋଚନା କରି କାମ କରନ୍ତି
ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଅଧିକ ଦିନ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ ଜଣେ ଓଡ଼ିଆ ଓ ସେ ପଢ଼ିଥିବା ସ୍କୁଲର ଜଣେ ଛାତ୍ରୀ ଭାବେ ମୁଁ ଗର୍ବିତ। ତାଙ୍କର ଏକ ଭଲ ଗୁଣ ହେଉଛି କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଅନ୍ୟମାନଙ୍କ ସହ ଆଲୋଚନା କରିନ୍ତି ଯାହା ତାଙ୍କୁ ଅନ୍ୟ ଗଭର୍ଣ୍ଣରମାନଙ୍କ ଠାରୁ ନିଆରା କରିଛି। ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଥାଏ। ମହାମାରୀ ସମୟରେ ସେ କ୍ଷତିଗ୍ରସ୍ତ ହୋଇଥିବା ନିର୍ଦିଷ୍ଟ କ୍ଷେତ୍ରଗୁଡ଼ିକ ଲାଗି ପଦକ୍ଷେପ ଗ୍ରହଣ କରିଥିଲେ। ମହାମାରୀ ପରବର୍ତ୍ତୀ ସମୟରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସୁଧାର ଆଣିବା ଲାଗି ତାଙ୍କ ଠାରୁ ଅଭିନବ ପଦକ୍ଷେପ ଆଶା କରୁଛୁ।
ମିତାଲି ଚିନାରା, ଅର୍ଥନୀତି ବିଭାଗ ମୁଖ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟ

ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଧାରିପାରିବେ
ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବଢ଼ିଥିବାରୁ ରିଜର୍ଭ ବ୍ୟାଙ୍କରେ ରହି ‌ସେ ଯେଉଁ ନୀତି ପ୍ରସ୍ତୁତ କରିଛନ୍ତି ତାହା ଆଗକୁ ଜାରି ରହିବ। ଯାହା ଫଳରେ ଦେଶର ଅର୍ଥନୀତି ଆହୁରି ତ୍ବରାନ୍ବିତ ହୋଇପାରିବ। ତାଙ୍କ ସ୍ଥାନରେ ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତ କରିଥିଲେ ସେହି ଧାରା ଅଟକି ଯାଇଥାନ୍ତା। ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ରହିଥିବା ଦୁର୍ବଳତାକୁ ଦୂର କରିବା ଲାଗି ସେ ଅନେକ କାର୍ଯ୍ୟ କରିଛନ୍ତି। ଆଗକୁ ସେହି କାମ ଜାରି ରଖିପାରିବେ। ଆଉ ଯେଉଁ ସବୁ ଦୁର୍ବଳତା ରହିଛି ତାହାକୁ ଦୂର କରିବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ତାଙ୍କୁ ଅଧିକ ସମୟ ମିଳିଛି।
ପ୍ରଫେସର କୁମର ବର ଦାସ, ପୂର୍ବତନ କୁଳପତି, ଏଫ୍ଏମ୍ ବିଶ୍ବବିଦ୍ୟାଳୟ

କର୍ପୋରେଟ୍‌କୁ ସୁହାଇବା ଭଳି ପଦକ୍ଷେପ ନିଆଯାଉଛି
ଦେଶ ସ୍ବାର୍ଥ କଥା ଚିନ୍ତା କରିବା ବେଳେ ବହୁତ ଦୁଃଖିତ ଲାଗୁଛି। ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଓ କର୍ପୋରେଟ୍ ଜଗତକୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଟଙ୍କା ଜମା ରଖିଥିବା ସାଧାରଣ ଲୋକଙ୍କ କଥା ଚିନ୍ତା କରାଯାଉନାହିଁ। ସେମାନେ ଏବେ ବିଯୁକ୍ତାତ୍ମକ ରିଟର୍ଣ୍ଣ ପାଉଛନ୍ତି। ବ୍ୟାଙ୍କ ଯେଉଁ ହାରରେ ସୁଧ ଦେଉଛନ୍ତି, ଦେଶର ମୁଦ୍ରାସ୍ଫୀତି ତା’ଠାରୁ ଅଧିକ ରହୁଛି। କର୍ପୋରେଟ୍ ସଂସ୍ଥାଗୁଡ଼ିକୁ କମ୍ ସୁଧରେ ଋଣ ଦେବା ଲାଗି ଏଭଳି କରାଯାଉଛି।
ସନ୍ତୋଷ କୁମାର ମହାପାତ୍ର, ସ୍ତମ୍ଭକାର ଓ ଅର୍ଥନୀତିଜ୍ଞ

ସମ୍ବନ୍ଧିତ ଖବର