ଶକ୍ତିକାନ୍ତ ଦେଲେ ୨.୧୧ ଲକ୍ଷ କୋଟିର ଚେକ୍‌: ନିର୍ବାଚନ ବର୍ଷରେ ରେକର୍ଡ ଲାଭାଂଶ

ମୁମ୍ବାଇ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ରେକର୍ଡ ପରିମାଣର ଲାଭାଂଶ ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବ। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବ‌ରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୨୦୨୨-୨୩ର ଲାଭାଂଶ ତୁଳନାରେ ଏହା ୧୪୦% ଅଧିକ। କୌଣସି ଗୋଟିଏ ବର୍ଷରେ ରିଜର୍ଭ ବ୍ୟାଙ୍କ ପୂର୍ବରୁ କେବେ ଏତେ ପରିମାଣର ଲାଭାଂଶ ଦେଇନଥିଲା। ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ରିଜର୍ଭ ବ୍ୟାଙ୍କରୁ ଏଭଳି ମୋଟା ଅଙ୍କର ଲାଭାଂଶ ନିଶ୍ଚିତ ରୂପେ ସରକାରଙ୍କ ପାଇଁ ଖୁସି ଖବର। ଦେଶର ବିତ୍ତୀୟ ନିଅଣ୍ଟକୁ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ୫.୧ ପ୍ରତିଶତ ମଧ୍ୟରେ ରଖିବାରେ ଏହି ରାଶି ସରକାରଙ୍କ ପାଇଁ ସହାୟକ ହେବ। ନିର୍ବାଚନ ପରେ ଯେଉଁ ନୂଆ ସରକାର ଗଠନ ହେବ ବ୍ୟୟ କରିବା ଲାଗି ତାହା ପାଖରେ ଅଧିକ ପାଣ୍ଠି ରହିବ।

ରିଜର୍ଭ ବ୍ୟାଙ୍କର ୬୦୮ତମ କେନ୍ଦ୍ରୀୟ ବୋର୍ଡ ବୈଠକରେ ଦେଶ ଓ ଆନ୍ତର୍ଜାତିକ ଅର୍ଥନୈତିକ ଦୃଶ୍ୟପଟ୍ଟ, ସେଥିରୁ ସ‌ୃଷ୍ଟି ହୋଇଥିବା ବିପଦ ଏବଂ ଆଗାମୀ କାଲିର ଆଶା ସମ୍ପର୍କରେ ଆଲୋଚନା ହୋଇଥିଲା। ‌କେନ୍ଦ୍ର ସରକାରଙ୍କୁ ୨,୧୦,୮୭୪ କୋଟି ଟଙ୍କାର ବଳକା ରାଶି ହସ୍ତାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହା ପୂର୍ବରୁ ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୧,୭୫,୯୮୭ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା। ୨୦୨୦-୨୧ରେ ୯୯,୧୨୨ କୋଟି ଟଙ୍କା, ୨୦୨୧-୨୨ରେ ୩୦,୩୦୭ କୋଟି ଟଙ୍କା ଏବଂ ୨୦୨୨-୨୩ରେ ୮୭,୪୧୬ କୋଟି ଟଙ୍କା ଦେଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଶ, ଡଲାର କାରବାର ଏବଂ ନୋଟ୍ ଛପାଇ ବିପୁଳ ପରିମାଣର ଆୟ କରିଥାଏ। ଜାଲାନ କମିଟିର ସୁପାରିସ ଆଧାରରେ ସେଥିରୁ ୫.୫-୬.୫ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ଆକସ୍ମିକ ବିପଦ ଭଣ୍ଡାର ବା ସିଆର୍‌ବିରେ ରଖିବା ପରେ ଅବଶିଷ୍ଟ ରାଶିକୁ ତାହା କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥାଏ। ଏଥର ସିଆର୍‌ବିକୁ
୬.୫ ପ୍ରତିଶତ ରଖାଯାଇଛି।

ସମ୍ବନ୍ଧିତ ଖବର