ଖୋର୍ଦ୍ଧାରେ ରିଜର୍ଭ ବ୍ୟାଙ୍କ ଡାଟା ସେଣ୍ଟର୍‌ର ଶିଳାନ୍ୟାସ କଲେ ଶକ୍ତିକାନ୍ତ

ଭୁବନେଶ୍ବର: ଖୋର୍ଦ୍ଧାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନ୍ୟୁ ଗ୍ରିନ୍‌ଫିଲ୍‌ଡ ଡାଟା ସେଣ୍ଟର୍‌ ଓ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ୍ ସାଇବର୍‌ ସିକ୍ୟୁରିଟି ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଶିଳାନ୍ୟାସ କରାଯାଇଛି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ ଏକ ଦୃଢ଼ ଆର୍ଥିକ କ୍ଷେତ୍ର ଯୋଗୁ ମହାମାରୀର ସଫଳ ମୁକାବିଲା କରାଯାଇଛି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟକଳାପକୁ ସୁଦୃଢ଼ କରିବାରେ ବୈଷୟିକ ଜ୍ଞାନକୌଶଳ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍‌, ପ୍ରଯୁକ୍ତି ଓ ସାଇବର ନିରାପତ୍ତା କ୍ଷେତ୍ରରେ କମ୍ପ୍ୟୁଟିଂ ଭିତ୍ତିଭୂମିର ଉନ୍ନତି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଇନ୍‌ଫୋଭ୍ୟାଲି-୨ ନିକଟରେ ୧୮.୫୫ ଏକର ପରିମିତ ଅଞ୍ଚଳରେ ଏହି ନୂଆ ଡାଟା ସେଣ୍ଟର୍‌ ଓ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ସାଇବର୍ ସିକ୍ୟୁରିଟି ଟ୍ରେନିଂ ସେଣ୍ଟରକୁ ସ୍ଥାପନ କରାଯାଉଛି। ଆର୍ଥିକ କ୍ଷେତ୍ରରେ ଉଭା ହୋଇଥିବା ନୂଆ ନୂଆ କ୍ଷେତ୍ରରେ ପାରଦର୍ଶିତାର ସହ କାର୍ଯ୍ୟ କରିବାରେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ସହାୟକ ହେବ। ଏହି ଅବସରରେ ରାଜ୍ୟର ମୁଖ୍ୟ ସଚିବ ପ୍ରଦୀପ ଜେନା ଏବଂ ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡାଟା ସେଣ୍ଟର୍‌ର ଶିଳାନ୍ୟାସ କରିବା ଲାଗି ଭୁବନେଶ୍ବର ଆସିଥିବା ଗଭର୍ଣ୍ଣର ଶ୍ରୀ ଦାସ ଆସନ୍ତାକାଲି ଫେରିଯିବେ। ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର