ଶକ୍ତିକାନ୍ତଙ୍କ ମାଷ୍ଟରଷ୍ଟ୍ରୋକ୍: ରେପୋ ହାର ହ୍ରାସ ବିନା କମିବ ଋଣ ସୁଧ

ବିଶେଷଜ୍ଞ କହିଲେ ଏହା ବଜେଟ୍‌ର ଦ୍ବିତୀୟ ଭାଗ, ଦାସଙ୍କୁ ‘ମାରିଓ ଡ୍ରାଘି’ଙ୍କ ସହ ତୁଳନା କଲେ

ମୁମ୍ବାଇ: ଦେଶରେ ଆଗାମୀ ଦିନରେ ମୁଦ୍ରାସ୍ଫୀତି ବଢ଼ିବା ଭୟ ରିଜର୍ଭ ବ୍ୟାଙ୍କକୁ ଘାରିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ଗତ ୧୧ ବର୍ଷ ମଧ୍ୟରେ ସର୍ବନିମ୍ନ ଅର୍ଥାତ୍ ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲେ ବି ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ଆଜି ପୁଣି ୫.୧୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଗତ ଡିସେମ୍ବରରେ ହୋଇଥିବା ସମୀକ୍ଷାରେ ମଧ୍ୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାରକୁ ଏହି ସ୍ତର‌ରେ ସ୍ଥିର ରଖିଥିଲା। ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରା ନୀତି ସମୀକ୍ଷା ଆଜି ମୁଦ୍ରା ନୀତି କମିଟି କରିଥିଲା। କମିଟିର ସମସ୍ତ ସଦସ୍ୟ ସର୍ବସମ୍ନତିକ୍ରମେ ରେପୋ ହାରକୁ ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରେପୋ ହାର ହେଉଛି ସେହି ସୁଧ ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ସ୍ବଳ୍ପ ଅବଧିର ଋଣ ପ୍ରଦାନ କରିଥାଏ।

ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବରୁ ଯେଉଁ ଆକଳନ କରିଥିଲା ସେଥିରେ ମଧ୍ୟ କୌଣସି ପରିବର୍ତ୍ତନ ଆଣିନାହିଁ। ସେହିଭଳି ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୦-୨୧ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬ ପ୍ରତିଶତ ରହିବ ବୋଲି କୁହାଯାଇଛି। କିନ୍ତୁ ମୁଦ୍ରାସ୍ଫୀତି ବଢ଼ିବ ବୋଲି ରିଜର୍ଭ ବ୍ୟାଙ୍କ ସତର୍କ କରାଇ ଦେଇଛି। ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ନିକଟ ଅତୀତରେ ପିଆଜ ଦର ବୃଦ୍ଧି ଯୋଗୁ ଖାଉଟି ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଆଗାମୀ ଦିନରେ ପିଆଜ ଦର ଯଦିଓ ହ୍ରାସ ପାଇବ ତଥାପି ଅନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିବ। ସେହିଭଳି ଟେଲିକମ୍ ଶୁଳ୍କ, ଚିକିତ୍ସା ଓ ଔଷଧ ମୂଲ୍ୟ ବୃଦ୍ଧିର ପ୍ରଭାବ ମଧ୍ୟ ମୁଦ୍ରାସ୍ଫୀତି ଉପରେ ପଡ଼ିବ। ଏସବୁ କାରଣ ଯୋଗୁ ଆସନ୍ତା ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଦେଶର ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଅନୁମାନ ଲଗାଇଛି। ପଶ୍ଚାଦ୍‌ଗାମୀ ରେପୋ ହାରକୁ ରିଜର୍ଭ ବ୍ୟାଙ୍କ ୪.୯୦ ପ୍ରତିଶତରେ ଏବଂ ବ୍ୟାଙ୍କ ରେଟ୍‌କୁ ୫.୪୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଅର୍ଥନୀତି ଉପରେ କରୋନା ଭୂତାଣୁର ପ୍ରଭାବ ମଧ୍ୟ ଅନୁଭୁତ ହୋଇପାରେ ବୋଲି ଆକଳନ କରାଯାଇଛି। ଗତ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟ୍‌ରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ କେତେକ ‌ପଦେକ୍ଷପ ନେଇଥିବାବେଳେ ଆଜି ଶକ୍ତିକାନ୍ତ କେତେକ ପଦକ୍ଷେପ ନେଇଛନ୍ତି। ବିଶେଷକରି ରେପୋ ହାର ଅପରିବର୍ତ୍ତିତ ରଖି ଅନ୍ୟ କେତେକ ପଦକ୍ଷେପ ନେଇଛନ୍ତି ଯାହାଦ୍ବାରା ଲୋକଙ୍କୁ ଗାଡ଼ି, ଘର ଏବଂ ଏମଏସଏମଇ ଆଦି ଋଣ ଶସ୍ତାରେ ମିଳିବ। ବ୍ୟାଙ୍କ ଗୁଡ଼ିକ ଅଟୋମୋବାଇଲ, ଆବାସିକ ଘର ଏବଂ ଏମଏସଏମଇ ଶିଳ୍ପକୁ ନୂଆ ଋଣ ପ୍ରଦାନ କରିବାବେଳେ ୪ ପ୍ରତିଶତ ପାଣ୍ଠି ସେ ବାବଦରେ ଅଲଗା ରଖିବା ନେଇ ରହିଥିବା ବାଧ୍ୟତାମୂଳକ ବ୍ୟବସ୍ଥାକୁ ରିଜର୍ଭ ବ୍ୟାଙ୍କ ଉଠାଇ ଦେଇଛନ୍ତି। ଏହାଦ୍ବାରା ଗ୍ରାହକମାନଙ୍କୁ କମ୍ ସୁଧ ହାରରେ ଗାଡ଼ି, ଘର ଏବଂ ଏମଏସଏମଇ ଋଣ ମିଳିଯିବ ବୋଳି ଆଶା ରଖାଯାଇଛି। ତେଣୁ ମୁଦ୍ରାନୀତି କମିଟିର ଆଜିର ନିଷ୍ପତ୍ତିକୁ ବଜେଟ୍‌ର ଦ୍ବିତୀୟ ଭାଗ ଏବଂ ଶକ୍ତିକାନ୍ତଙ୍କ ମାଷ୍ଟ୍ରରଷ୍ଟ୍ରାକ୍‌ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶକ୍ତିକାନ୍ତଙ୍କୁ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅଧ୍ୟକ୍ଷ ମାରିଓ ଡ୍ରାଘିଙ୍କ ସହ ତୁଳନା କରାଯାଇଛି। ୨୦୧୨ରେ ସେଠାକାର ମୁଦ୍ରା ୟୁରୋକୁ ସଙ୍କଟ ମଧ୍ୟରୁ ଉଦ୍ଧାର କରିବା ଲାଗି ଡ୍ରାଘି ଯେଉଁଭଳି ଅଣପାରମ୍ପରିକ ବ୍ୟବସ୍ଥାକୁ ଆପଣେଇଥିଲେ ଶକ୍ତିକାନ୍ତ ସେହି ଢଙ୍ଗରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର