ଅର୍ଥନୀତିରେ ମାନ୍ଦାବସ୍ଥା ସମସ୍ତେ ଚିନ୍ତିତ: ଶକ୍ତିକାନ୍ତ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ‌ଅଭିବୃଦ୍ଧିକୁ ଏବେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ରିଜର୍ଭ ବ୍ୟାଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ, ବ୍ୟବସାୟ ଜଗତ ଓ ନୀତି ନିର୍ଧାରଣରେ ସକ୍ରିୟ ଥିବା ସମସ୍ତ ସଦସ୍ୟ ଏହାକୁ ପ୍ରାଥମିକତା ଦେଉଛନ୍ତି। ଅଭିବୃଦ୍ଧିକୁ ନେଇ ଏବେ ସମସ୍ତେ ଚିନ୍ତିତ ଅଛନ୍ତି ବୋଲି ଫିକି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି।

ଅର୍ଥନୀତିରେ ସମସ୍ୟା ଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି। ନିରାଶାବାଦ ଉପରେ ଅଧିକ ଧ୍ୟାନ ନଦେବାକୁ ସେ ଆହ୍ବାନ ଦେଇଛନ୍ତି। ସେ କହିଲେ, ଆମେ ଜାଣିଛେ ସମସ୍ୟା ରହିଛି। ସ୍ଥାନୀୟ ଓ ବାହ୍ୟ ଉତ୍ସରୁ ବିପଦ ଆସୁଛି। ଏଭଳି ପରିସ୍ଥିତିରେ ଆମକୁ ସୁଯୋଗ ଖୋଜିବାକୁ ପଡ଼ିବ ଏବଂ ତାହାର ସଦୁପଯୋଗ କରିବାକୁ ହେବ। କାରଣ, ନିରାଶା କାହା ପାଇଁ କିଛି ବି ଲାଭ ଆଣିବ ନାହିଁ। ସବୁ ପ୍ରକାର କଠିନ ପରିସ୍ଥିତିରେ ହସିବାକୁ ମୁଁ କହୁନାହିଁ। ମାତ୍ର, ଆମେ ସାମ୍ନା କରୁଥିବା ଆହ୍ବାନ ଭିତରେ ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଦେଶରେ ଆର୍ଥିକ ସ୍ଥିରତା ବଜାୟ ରଖିବା ନିହାତି ଜରୁରୀ ବୋଲି କହିଥିବା ଶକ୍ତିକାନ୍ତ ଏହା ଜଣାଇ ଦେଇଛନ୍ତି ଯେ, ବ୍ୟାଙ୍କରେ ଏନପିଏ ପରିମାଣ କମୁଛି। ୨୦୨୦ ମାର୍ଚ ସୁଦ୍ଧା ଏହା ଆହୁରି କମିବ। କିନ୍ତୁ ସରକାରୀ ବ୍ୟାଙ୍କଗୁଡ଼ିକ ପାଇଁ ସବୁଠୁ ବଡ଼ ପରୀକ୍ଷା ହେଉଛି ପ୍ରଦର୍ଶନ, ଦକ୍ଷତା ଓ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଆଣିବା। ସରକାରଙ୍କ ପାଣ୍ଠିକୁ ଚାହିରହିବା ବଦଳରେ ପୁଞ୍ଜି ବଜାରରୁ କିଭଳି ପାଣ୍ଠି ହାସଲ କରାଯାଇପାରିବ ସେ ଦିଗରେ ବ୍ୟାଙ୍କଗୁଡ଼ିକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଷ୍ଟକ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ଗମ୍ଭୀରତାର ସହ ନିଆଯାଇଛି ଏବଂ ଏ କ୍ଷେତ୍ରରେ ସ୍ଥିରତା ଫେରାଇ ଆଣିବା ଦିଗରେ କାମ କରାଯାଉଛି ବୋଲି ସେ କହିଛନ୍ତି। ଭାରତୀୟ ପୁଞ୍ଜି ବଜାରକୁ ବିଶ୍ବ ସ୍ତରର ପୁଞ୍ଜି ବଜାର ସହିତ ଯୋଡ଼ିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ବ୍ୟାଙ୍କଗୁଡ଼ିକ ନିଜର ଜମା ଓ ଋଣ ସୁଧ ହାରକୁ ରେପୋ ହାର ସହିତ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ଏହା ହେଲେ ରେପୋରେ ଯେଉଁଭଳି ପରିବର୍ତ୍ତନ ହେବ ତାହାର ପ୍ରତିଫଳନ ବ୍ୟାଙ୍କ ସୁଧ ଉପରେ ଦେଖିବାକୁ ମିଳିବ। ଚଳିତ ବର୍ଷ ବିଭିନ୍ନ ପର୍ଯ୍ୟାୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୧୦% ହ୍ରାସ କରିଛି। କିନ୍ତୁ ତାହାର ପ୍ରତିଫଳନ ବ୍ୟାଙ୍କ ସୁଧରେ ଦେଖିବାକୁ ମିଳିନାହିଁ। ସୁଧ ହାରକୁ ରେପୋ ହାର ସହ ଯୋଡ଼ିବା ଲାଗି ଶକ୍ତିକାନ୍ତ ବାରମ୍ବାର ପରାମର୍ଶ ଦେବା ପରେ ଡଜନେରୁ ଅଧିକ ବ୍ୟାଙ୍କ ‌ଇଚ୍ଛାଧୀନ ଭାବେ ସେମାନଙ୍କ ସୁଧ ହାରକୁ ରେପୋ ହାର ସହିତ ଯୋଡ଼ିଛନ୍ତି।

ମୁହଁରେ ଜଟିଳ ଇଂରାଜୀ ଶବ୍ଦ ‘ପାଙ୍ଗ୍‌ଲୋସିଆନ୍‌’
ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସଭାରେ ଉଦବୋଧନ ଦେବା ବେଳେ ‘ପାଙ୍ଗ୍‌ଲୋସିଆନ’ ନାମକ ଏକ ଜଟିଳ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ। ସାଧାରଣତଃ କଂଗ୍ରେସ ନେତା ଶଶି ଥରୁର ଏଭଳି ଜଟିଳ ଇଂରାଜୀ ଶବ୍ଦ ବ୍ୟବହାର କରିଥାନ୍ତି। ଶକ୍ତିକାନ୍ତ ମୁହଁରୁ ଏଭଳି ଶବ୍ଦ ଶୁଣିବା ପରେ ଲୋକମାନେ ଚକିତ ହୋଇପଡ଼ିଥିଲେ। ପାଙ୍ଗଲୋସିଆନର ପ୍ରକୃତ ଅର୍ଥ ଜାଣିବା ଲାଗି ଲୋକମାନେ ଗୁଗୁଲ୍‌ରେ ସର୍ଚ କରିଥିଲେ। ଦେଶର ଆର୍ଥିକ ସ୍ଥିତି ବିଷୟରେ ସୂଚନା ଦେବା ବେଳେ ସେ କହିଥିଲେ ଯେ, ନିରାଶା ଓ ସବୁ କିଛି ଶେ‌ଷ ହୋଇଗଲା ଭଳି ଭାବନା ରଖିଲେ କାହାକୁ କିଛି ବି ଲାଭ ମିଳିବନି। ମୁଁ ଏହା କହୁନି ଆମକୁ ପାଙ୍ଗଲୋସିଆନ ଦୃଷ୍ଟିକୋଣ ରଖିବାକୁ ହେବ। ସବୁ କଥାରେ ହସିବା ଉଚିତ। ପାଙ୍ଗଲୋସିଆନର ପ୍ରକୃତ ଅର୍ଥ ହେଉଛି ‘ବହୁତ ଆଶାବାଦୀ ହେବା’। ଭୋଲଟାୟାରଙ୍କ ଏକ ହସ୍ୟରସାତ୍ମକ ଉପନ୍ୟାସର ଚରିତ୍ର ଡକ୍ଟର ପାଙ୍ଗଲସ୍‌ରୁ ଏହି ଶବ୍ଦ ଆସିଛି। ଉପନ୍ୟାସରେ ଏହି ଚରିତ୍ର ଜଣକ ବହୁତ ଆଶାବାଦୀ ଥିଲେ। ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ମଧ୍ୟ ସେ ଆଶାବାଦୀ ରହୁଥିଲେ। କେବଳ ନିରାଶ ନହୋଇ ଆଶାବାଦୀ ରହିବା ପାଇଁ ଆହ୍ବାନ ଦେବା ବେଳେ ସେ ଏହି ଶବ୍ଦ ବ୍ୟବହାର କରିଥିଲେ।

ସମ୍ବନ୍ଧିତ ଖବର