ନୂଆଦିଲ୍ଲୀ: କିଛି ମାସ ଭିତରେ ଦେଶର ଚାରିଟି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ମୁଖ୍ୟ ପଦରେ ଅବସ୍ଥାପିତ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେହି ଚାରିଟି ସଂସ୍ଥା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି), ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)। ଏଥିରୁ ଦୁଇଟି ସଂସ୍ଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ସିଏଜି ପଦରେ ଦୁଇ ଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଓ ସିଏଜି ଭାବେ ଗିରିଶ ଚନ୍ଦ୍ର ମୁର୍ମୁ କାମ କରୁଛନ୍ତି। କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ଦୁଇ ବିଶ୍ବସ୍ତଙ୍କୁ ଆଉ ଏକ ସୁଯୋଗ ଦେବେ ନା ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
୨୦୧୮ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ହଠାତ୍ ଇସ୍ତଫା ଦେଇ ଚାଲିଯିବା ପରେ ବିମୁଦ୍ରୀକରଣ ବେଳେ ସହଯୋଗ କରିଥିବା ଅଫିସର ଶକ୍ତିକାନ୍ତଙ୍କ ଉପରେ ସରକାର ଭରସା ପ୍ରକଟ କରିଥିଲେ। ତାଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କରାଯାଇଥିଲା। ସରକାରଙ୍କ ସେହି ନିଷ୍ପତ୍ତିକୁ ସେତେବେଳେ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ସେସବୁ ପ୍ରତି ଦୃଷ୍ଟି ନ ଦେଇ ଶକ୍ତିକାନ୍ତ ନିଜ କାମ ଉପରେ ମନୋନିବେଶ କରି କୋଭିଡ୍ ମହାମାରୀ ସମୟରେ ବହୁତ ବଢ଼ିଆ ଢଙ୍ଗରେ ରିଜର୍ଭ ବ୍ୟାଙ୍କର ପରିଚାଳନା କରି ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଥିଲେ। ସେଥିରେ ଖୁସି ହୋଇ ସରକାର ଶକ୍ତିକାନ୍ତଙ୍କୁ ଦ୍ବିତୀୟ ସୁଯୋଗ ଦେଇଥିଲେ। ୨୦୨୧ ଡିସେମ୍ବରରେ ତାଙ୍କ କାର୍ଯ୍ୟକାଳକୁ ତିନି ବର୍ଷ ବୃଦ୍ଧି କରାଯାଇଥିଲା। ସେହି ସମୟ ସୀମା ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି। ତାଙ୍କୁ ତୃତୀୟ ସୁଯୋଗ ମିଳିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।
ସେହିପରି, ଦେଶର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ଭାବେ ନିଯୁକ୍ତ ହୋଇଥିବା ଶ୍ରୀ ମୁର୍ମୁଙ୍କ କାର୍ଯ୍ୟକାଳ ମଧ୍ୟ ନଭେମ୍ବର ମାସରେ ଶେଷ ହେବ। ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ମଧ୍ୟ ଆଲୋଚନା ହେଉଛି। ୨୦୨୦ ଅଗଷ୍ଟ ୮ରେ ତାଙ୍କୁ ସିଏଜି ଭାବେ ନିଯୁକ୍ତ କରାଯାଇଥିଲା। ତା’ ପୂର୍ବରୁ ସେ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଶ୍ରୀ ମୁର୍ମୁ ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି। କେନ୍ଦ୍ରରେ ସେ ବ୍ୟୟ ସଚିବ, ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଓ ବ୍ୟୟ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ମଧ୍ୟ ଆଲୋଚନା ହେଉଛି। ଆସନ୍ତା କିଛି ଦିନ ଭିତରେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ଅନ୍ୟ ଦୁଇ ଜଣ ଅଧିକାରୀ ହେଉଛନ୍ତି ସେବିର ମୁଖ୍ୟ ମାଧବୀ ପୁରୀ ବୁଚ୍ ଓ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ୍। ମାଧବୀଙ୍କ ବିରୋଧରେ ହିଣ୍ଡେନ୍ବର୍ଗ ସଙ୍ଗିନ ଅଭିଯୋଗ ଆଣିବା ପରେ ତାଙ୍କ ଦ୍ବେତ୍ବ ସ୍ବାର୍ଥ ଏବେ ଚର୍ଚ୍ଚାରେ ରହିଛି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ନିୟମିତ ବ୍ୟବଧାନରେ ବିଭିନ୍ନ ଅଭିଯୋଗ କରାଯାଉଛି। ତେଣୁ ତାଙ୍କ ଭବିଷ୍ୟତ କ’ଣ ରହିବ ତାହା କରିବା କଷ୍ଟକର ହୋଇପଡ଼ିଛି।