ଶକ୍ତିକାନ୍ତଙ୍କ ଦୃଢ଼ୋକ୍ତି: ଭାରତର ସ୍ଥିତି ଭଲ

ବ୍ୟାଙ୍କରେ ଥିବା ଟଙ୍କା ଜମାକାରୀଙ୍କର, ଟଙ୍କା ମୂଲ୍ୟରେ ଅସ୍ଥିରତା ରୋକିବା ଉଦ୍ୟମ ଜାରି ରହିବ

ଭୁବନେଶ୍ବର : ସାରା ବିଶ୍ବର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କିନ୍ତୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି। ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନ୍‌କ୍ଲେଭ୍‌ ୨୦୨୨କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ସେ କହିଲେ, ଆର୍ଥିକ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପୁଞ୍ଜି ରହିଛି। ସମ୍ପତ୍ତି ମାନରେ ଉନ୍ନତି ପରିଲକ୍ଷିତ ହୋଇଛି। ବାଲାନ୍ସ ସିଟ୍‌ ଦୃଢ଼ ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକ ଲାଭ କରୁଛନ୍ତି। ଋଣ ଚାହିଦାରେ ମଧ୍ୟ ବୃଦ୍ଧି ହେଉଛି। ବିଶ୍ବ ବଜାରରେ ଘଟୁଥିବା ଘଟଣାର ପ୍ରଭାବ ମୁକାବିଲା ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ନେଇ ବହୁତ ବିତର୍କ ହେଉଛି। ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଦୁର୍ବଳ ହେଉଥିବା କୁହାଯାଉଛି। କିନ୍ତୁ, ଅନ୍ୟ ବିକାଶଶୀଳ ଓ ବିକଶିତ ଦେଶର ମୁଦ୍ରା ତୁଳନାରେ ଟଙ୍କା ମଧ୍ୟ ଭଲ ସ୍ଥିତିରେ ରହିଛି। ମୁଦ୍ରା ବିନିମୟ ବଜାରରେ ଟଙ୍କାକୁ ନେଇ କୌଣସି ଘୋର ଅସ୍ଥିରତା ଦେଖାଦେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ସେଭଳି ସ୍ଥିତିକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ଟଙ୍କା ମୂଲ୍ୟରେ ସୁଧାର ଘଟିଛି। ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ବୁଝାଇବା ଲାଗି ସେ କହିଥିଲେ ଯେ ବର୍ଷା ହେଲେ ଆମେ ବ୍ୟବହାର କରିବା ଲାଗି ଛତା କିଣିଥାଉ। ସେହିପରି ଦରକାର ସମୟରେ ରିଜର୍ଭ ବ୍ୟାଙ୍କ ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ଲାଗି ହସ୍ତକ୍ଷେପ କରୁଛନ୍ତି। ବଜାର ଚାହିଦା ପୂରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଡଲାର ଯୋଗାଣ କରୁଛି ବୋଲି ‌ସେ କହିଛନ୍ତି। କିଛି ଦିନ ପୂର୍ବେ ଡଲାର ତୁଳନାରେ ଭାରତୀୟ ଟଙ୍କା ସର୍ବକାଳୀନ ରେକର୍ଡ ନିମ୍ନ ସ୍ତର ୮୦ ଟଙ୍କା ୬ ପଇସାରେ ପହଞ୍ଚିଥିଲା। ଆଜି ମଧ୍ୟ କାରବାର ସମୟରେ ଡଲାର ତୁଳନାରେ ଟଙ୍କା ଏହି ସ୍ତରକୁ ଖସିଯାଇଥିଲା। କିନ୍ତୁ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା। ଏକ ଡଲାର ଦାମ୍ ଆଜି ୭୯ ଟଙ୍କା ୯୨ ପଇସା ରହିଛି। ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି ଯେ ଟଙ୍କା ଦାମ୍‌କୁ ଏକ ନିର୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ଆଣିବା ଲାଗି ଆମର କୌଣସି ଯୋଜନା ନାହିଁ। ପର୍ଯ୍ୟାୟକ୍ରମେ ମୁଦ୍ରା ମୂଲ୍ୟରେ ସୁଧାର ହେବ। ଆମେ କେବଳ ଘୋର ଅସ୍ଥିରତା ରୋକିବାକୁ ଉଦ୍ୟମ ଜାରି ରଖିବୁ।

ବ୍ୟାଙ୍କ ସମ୍ପର୍କରେ ଶକ୍ତିକାନ୍ତ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର। ଅନ୍ୟ ବାଣିଜ୍ୟିକ ସଂସ୍ଥା ସହ ବ୍ୟାଙ୍କକୁ ତୁଳନା କରାଯାଇପାରିବ ନାହିଁ। ଅଂଶଧନକାରୀମାନଙ୍କ ସ୍ବାର୍ଥ ରକ୍ଷା ବ୍ୟତୀତ ଜମାକାରୀଙ୍କ ସ୍ବାର୍ଥ ରକ୍ଷାକୁ ବ୍ୟାଙ୍କଗୁଡ଼ିକ ଅଧିକ ଗୁରୁତ୍ବ ଦେବା ଦରକାର। ବ୍ୟାଙ୍କ ଯାହା ବି ପାଣ୍ଠି ମୂତୟନ କରୁଛନ୍ତି ତାହା ଜମାକାରୀଙ୍କ ଟଙ୍କା। କୌଣସି ବ୍ୟାଙ୍କ ଏହା ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର ପରେ ବ୍ୟାଙ୍କ ସେବାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିବ। ସେଥିଲାଗି ପ୍ରସ୍ତୁତ ରହିବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର