ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ)ରେ ଦେଶର ଜିଡିପି(ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ୭.୧ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବରୁ ଆକଳନ କରିଥିଲା। କିନ୍ତୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ୬.୭ ପ୍ରତିଶତ ରହିଛି। ଏହା ସତ୍ତ୍ବେ ଆମେ ଦୃଢ଼ ଆଶାବାଦୀ ରହିଛୁ ଯେ ଚଳିତ ଆର୍ଥିକବର୍ଷ ୨୦୨୪-୨୫ରେ ଦେଶର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଯେଉଁ ଆକଳନ କରିଛି ତାହା ଅକ୍ଷୁଣ୍ଣ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏଠାରେ ଆୟୋଜିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଜାତୀୟସ୍ତରର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏଭଳି ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ତଥ୍ୟକୁ ଦେଖିବା ପରେ ଏହା ଜାଣିବାକୁ ମିଳିଛି ଯେ ବେସରକାରୀ ବ୍ୟୟ ପ୍ରଥମ ତ୍ରୟମାସରେ ୭.୪ ପ୍ରତିଶତ, ନିବେଶ ୭.୫ ପ୍ରତିଶତ, ଶିଳ୍ପ ୭.୪ ପ୍ରତିଶତ, ବିନିର୍ମାଣ(ମାନୁଫାକ୍‌ଚରିଂ) ୭ ପ୍ରତିଶତ, ସେବା ୭.୭ ପ୍ରତିଶତ, ନିର୍ମାଣ କ୍ଷେତ୍ର ୧୦.୫ ପ୍ରତିଶତ ହାରରେ ବଢ଼ିଛି। କିନ୍ତୁ ଯେଉଁ କ୍ଷେତ୍ରଟି ଅଭିବୃଦ୍ଧିକୁ ନିମ୍ନମୁଖୀ କରିଛି ତାହା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖର୍ଚ୍ଚ। ସରକାରୀ ଖର୍ଚ୍ଚ ଏପ୍ରିଲ-ଜୁନ ତ୍ରୟମାସରେ ବିଯୁକ୍ତ ୨ ପ୍ରତିଶତ ରହିଛି। ସମ୍ଭବତଃ ନିର୍ବାଚନ ଓ ଆଦର୍ଶ ଆଚରଣବିଧି କାରଣରୁ ଏହା ହୋଇଛି। କିନ୍ତୁ ସରକାରୀ ଖର୍ଚ୍ଚକୁ ଅବଶିଷ୍ଟ ୩ଟି ତ୍ରୟମାସରେ ଭରଣା କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି। ସେହିଭଳି କୃଷି କ୍ଷେତ୍ରର ଅଭିବୃଦ୍ଧି ୨ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଭଲ ରହିଥିବାରୁ କୃଷି ଅଭିବୃଦ୍ଧିରେ ସୁଧାର ଆସିବ। ତେଣୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକବର୍ଷରେ ୭.୨ ପ୍ରତିଶତ ରହିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି। 

ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଗେଲ୍‌ ଇଣ୍ଡିଆର ସିଏମ୍‌ଡି ସନ୍ଦୀପ କୁମାର ଗୁପ୍ତା, ଆଇସିଏଆଇ ସଭାପତି ସିଏ ରଞ୍ଜିତ କୁମାର ଅଗରୱାଲା, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ସିଏ ପ୍ରଶାନ୍ତ ପଣ୍ଡା, ଭୁବନେଶ୍ବର ଶାଖା ଅଧ୍ୟକ୍ଷା ସିଏ ଜାହ୍ନବୀ ଦେଓ ଓ ସଂପାଦକ ସିଏ ଗୌତମ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।