ଅସହ୍ୟ ହେଲାଣି ତେଲ ତାତି, ଟିକସ କମାଇବାକୁ ଶକ୍ତିକାନ୍ତଙ୍କ ପରାମର୍ଶ

ବିଦେଶୀ ମୁଦ୍ରା ଭଣ୍ଡାର ଅସ୍ଥିରତା ମୁକାବିଲା କରିପାରିବ, ୯.୫% ଅଭିବୃଦ୍ଧି ନେଇ ଆଶାବାଦୀ

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍‌ ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଦାମ୍ ଏତେ ବଢ଼ିଯାଇଛି ଯେ ସାଧାରଣ ଲୋକଙ୍କ ମଧ୍ୟରେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। କେବେ ଦାମ୍ କମିବ ସେନେଇ ସରକାର କୌଣସି ପ୍ରକାର ପ୍ରତିଶ୍ରୁତି ଦେଉନଥିବାରୁ ଲୋକମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ଏକ ଗମ୍ଭୀର ସମୟ‌ରେ ଟିକସ କମାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ‘ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’ ସମ୍ବାଦପତ୍ର ସହ ସାକ୍ଷାତକାରରେ ଶକ୍ତିକାନ୍ତ କହିଛନ୍ତି ଯେ ଆନ୍ତର୍ଜାତିକ ବଜାରରେ ବିଭିନ୍ନ ସାମଗ୍ରୀ ଓ ଅଶୋଧିତ ତେଲ ମହଙ୍ଗା ହୋଇଛି। ଏହାର ପ୍ରଭାବ ହ୍ରାସ କରିବା ଲାଗି ସରକାର ଯୋଗାଣକୁ ନେଇ କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଏଭଳି ଆହୁରି ପଦକ୍ଷେପ ଘୋଷଣା ହେବା ଦରକାର। ସେଥିପାଇଁ ଆମେ ପ୍ରସ୍ତୁତ ମଧ୍ୟ ହେଉଛୁ। କିନ୍ତୁ ‌ଏହି ସମୟରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିକସକୁ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। ସେ ପରୋକ୍ଷରେ ଏହା ଜଣାଇବାକୁ ଚାହିଛନ୍ତି ଯେ ଟିକସ କମ୍ ହେଲେ ହିଁ ସାମଗ୍ରୀ ଦାମ୍ କମିବ। ଏବେ ୧୦୦ ଟଙ୍କାରେ ବିକ୍ରି ହେଉଥିବା ପେଟ୍ରୋଲ୍‌ରେ ୬୦ ଟଙ୍କା ହେଉଛି ଟିକସ। ଡିଜେଲ୍‌ରୁ ମଧ୍ୟ ସେହି ପାଖାପାଖି ପରିମାଣର ଟିକସ ସଂଗ୍ରହ କରାଯାଉଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିକସ ଲଗାଇଛନ୍ତି। ରାଜ୍ୟ ତୁଳନାରେ କେନ୍ଦ୍ର ସରକାର ଅଧିକ ଟିକସ ସଂଗ୍ରହ କରୁଛନ୍ତି।

ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବରେ ଅନ୍ୟ ସାମଗ୍ରୀଗୁଡ଼ିକ ମହଙ୍ଗା ହୋଇଛି। ଫଳରେ ମୁଦ୍ରାସ୍ଫୀତି ବେଲଗାମ ହୋଇପଡ଼ିଛନ୍ତି। ଯେଉଁ ସ୍ତରରେ ମୁଦ୍ରାସ୍ଫୀତି ରହିଲେ ଅର୍ଥନୀତି ପାଇଁ ବିଶେଷ କ୍ଷତିକାରକ ନୁହେଁ ତା’ଠାରୁ ଯଥେଷ୍ଟ ଉପରେ ଏହା ପହଞ୍ଚିଯାଇଛି। ସେଥିପାଇଁ ତେଲ ଦାମ୍ ହ୍ରାସ ପାଉ ବୋଲି ଶକ୍ତିକାନ୍ତ ଚାହୁଛନ୍ତି। ଅଭିବୃଦ୍ଧି ହେଉ ଏବଂ ଦରଦାମ୍ ସ୍ଥିତି ମଧ୍ୟ ନିୟନ୍ତ୍ରଣରେ ରହୁ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୯.୫% ରହିବ ବୋଲି ସେ ଆଶାବାଦୀ ଅଛନ୍ତି।

ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୬୦,୯୦୦ କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ରହିଛି ଯାହା ‌ଯେକୌଣସି ପ୍ରକାର ଅସ୍ଥିରତାର ମୁକାବିଲା ଲାଗି ଯଥେଷ୍ଟ ବୋଲି ଶ୍ରୀ ଦାସ କହିଛନ୍ତି। ‌ସେ କହିଛନ୍ତି ଏହା ଦେଶର ୧୫ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ। ଦେଶର ମୋଟ ବୈଦେଶିକ ଋଣ ଠାରୁ ମଧ୍ୟ ଏହା ଅଧିକ। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସେ ମତ ଦେଇଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ କରୁଥିବା ବିପୁଳ ପରିମାଣର ଋଣ ଉପରେ ଆଲୋଚନା କରି ସେ କହିଛନ୍ତି ଯେ ମହମାରୀ ପ୍ରଭାବରେ ସବୁ ସରକାରଙ୍କ ରାଜସ୍ବ ଆୟ ହ୍ରାସ ପାଇଛି। କିନ୍ତୁ ବ୍ୟୟ ବଢ଼ାଇବା ଲାଗି ଚାପ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଅଧିକ ଋଣ କରିବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଯେହେତୁ ସରକାରଙ୍କ ଋଣ ପରିଚାଳନା କରିବା ଦାୟିତ୍ବ ରିଜର୍ଭ ବ୍ୟାଙ୍କକୁ ଦିଆଯାଇଛି ତେଣୁ ସବୁ ପ୍ରକାର ପାରମ୍ପରିକ ଓ ଅଣ ପାରମ୍ପରିକ ବ୍ୟବସ୍ଥାକୁ ବ୍ୟବହାର କରି କମ୍ ସୁଧରେ ଯେଭଳି ଋଣ ଯୋଗାଡ଼ ହୋଇପାରିବ ସେଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର