ସରକାରଙ୍କୁ ଶକ୍ତିକାନ୍ତଙ୍କ ୯୯, ୧୨୨ କୋଟିର ଚେକ୍

ପୂର୍ବବର୍ଷ ତୁଳନାରେ ୭୩% ଅଧିକ, ସଙ୍କଟ ସମୟରେ ବଡ଼ ସହାୟତା

ମୁମ୍ବାଇ : କୋଭିଡ୍‌ ମହାମାରୀ ମୁକାବିଲା ଲାଗି ଲଗାଯାଇଥିବା ବିଭିନ୍ନ କଟକଣା ପ୍ରଭାବରେ ରାଜସ୍ବ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ଏକ ସଙ୍କଟ ସମ‌ୟରେ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ବଡ଼ ଶକ୍ତି ପ୍ରଦାନ କରିବାକୁ ଆଗେଇ ଆସିଛି। କେନ୍ଦ୍ର ସରକାରଙ୍କୁ ୯୯,୧୨୨ କୋଟି ଟଙ୍କାର ବଳକା ରାଶି ହସ୍ତାନ୍ତର କରିବା ଲାଗି ରିଜର୍ଭ ବ୍ୟାଙ୍କ ବୋର୍ଡରେ ନିଷ୍ପତ୍ତି ହୋଇଛି। ସମସ୍ତ ପୂର୍ବାନୁମାନ ଠାରୁ ଯଥେଷ୍ଟ ଅଧିକ ରାଶି ସରକାରଙ୍କୁ ଏଥର ହସ୍ତାନ୍ତର କରାଯିବ। ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ (୯ ମାସ) ଅବଧି ପାଇଁ ଏହି ରାଶି ପ୍ରଦାନ କରାଯିବ।

ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ଜୁଲାଇ-ଜୁନ୍ ହିସାବ ବର୍ଷ ଥିଲା। ମାତ୍ର ୨୦୨୧-୨୨ ଠାରୁ ଏହା ଏପ୍ରିଲ୍‌-ମାର୍ଚ୍ଚକୁ ନୂଆ ହିସାବ ବର୍ଷ ଭାବେ ଗ୍ରହଣ କରିଛି। ସେଥିପାଇଁ ପୂର୍ବ ଆର୍ଥିକ ବର୍ଷର ୯ ମାସ ବିଚାରକୁ ନେଇ ବଳକା ରାଶି ପରିମାଣ ନିର୍ଧାରଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ଆଲୋଚ୍ୟ ୯ ମାସରେ ମୋଟା ଅଙ୍କର ଆୟ କରିଥିବାରୁ ସରକାରଙ୍କୁ ଅଧିକ ଲାଭାଂଶ ବା ବଳକା ରାଶି ପ୍ରଦାନ କରିବାକୁ ଆଗେଇ ଆସିଛି। ମୁଦ୍ରା ବିନିମୟ ବଜାର ଓ ଖୋଲା ବଜାର କାରବାର ଜରିଆରେ ରିଜର୍ଭ ବ୍ୟାଙ୍କ ଭଲ ଆୟ କରିଛି। କରୋନା ମହାମାରୀ ପ୍ରଭାବରେ ଯେତେବେଳେ ଟିକସ ଆୟ ଏକ ପ୍ରକାର ଠପ୍ ହୋଇଯାଇଛି ସେଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ରିଜର୍ଭ ବ୍ୟାଙ୍କ ଦେବାକୁ ଥିବା ଟଙ୍କା ସରକାରଙ୍କ ପାଇଁ ଆଶ୍ବସ୍ତିର ବିଷୟ ହେବ। ସେହି ରାଶିକୁ ବ୍ୟବହାର କରି ମହାମାରୀକୁ ସରକାର ଭଲ ଭାବେ ମୁକାବିଲା କରିପାରିବେ ଏବଂ ଅର୍ଥନୀତିରେ ସୁଧାର ଆଣିବା ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୦୨୦-୨୧ର ନଅ ମାସ ପାଇଁ ଯେଉଁ ୯୯,୧୨୨ କୋଟି ଟଙ୍କା ଦିଆଯିବ ତାହା ୨୦୧୯-୨୦ ଆର୍ଥିକ ବର୍ଷରେ ଦିଆଯାଇଥିବା ପାଣ୍ଠି ତୁଳନାରେ ୭୩.୫% ଅଧିକ। ୨୦୧୯-୨୦ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୫୭,୧୨୮ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ଏହାର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮-୧୯ରେ ସର୍ବକାଳୀନ ରେକର୍ଡ ୧,୭୬,୦୦୦ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଏକକାଳୀନ ଭାବେ ସମସ୍ତ ବଳକା ରାଶି ପ୍ରଥମ ଥର ପାଇଁ ହସ୍ତାନ୍ତର କରାଯାଇଥିବାରୁ ସେହି ବର୍ଷ ଏତେ ଅଧିକ ଟଙ୍କା ସରକାରଙ୍କୁ ମିଳିଥିଲା।

ଜାଲାନ କମିଟି ସୁପାରିସ୍‌ ଆଧାରରେ ସମ୍ଭାବ୍ୟ ବିପଦ ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ପାଣ୍ଠି ରହିବା ଦ‌ରକାର ତାହାକୁ ୫.୫ ପ୍ରତିଶତରେ ରଖିବାକୁ ଏଥର ରିଜର୍ଭ ବ୍ୟାଙ୍କ ବୋର୍ଡରେ ନିଷ୍ପତ୍ତି ହୋଇଛି। ଏହି ପାଣ୍ଠିକୁ ୫.୫ରୁ ୬% ମଧ୍ୟରେ ରଖିବା ଲାଗି କମିଟି ସୁପାରିସ କରିଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ରିଜର୍ଭ ବ୍ୟାଙ୍କ ଠାରୁ ଏ‌ତେ ଅଧିକ ପାଣ୍ଠି ମିଳିବ ବୋଲି ନିଜେ ସରକାର ମଧ୍ୟ ଭାବିନଥିଲେ। ୨୦୨୦-୨୧ ବଜେଟ୍‌ରେ ଘୋଷଣା କରାଯାଇଥିଲା ଯେ ରିଜର୍ଭ ବ୍ୟାଙ୍କ ଠାରୁ ଲାଭାଂଶ ବାବଦରେ ୪୫ ହଜାର କୋଟି ଟଙ୍କା ମିଳିବ। କିନ୍ତୁ ବାସ୍ତବରେ ତାହାର ଦୁଇ ଗୁଣରୁ ଅଧିକ ଟଙ୍କା ମିଳିବାକୁ ଯାଉଛି। ବଜାର ବିଶେଷଜ୍ଞମାନେ ମଧ୍ୟ ଆକଳନ କରିିଥିଲେ ଯେ ରିଜର୍ଭ ବ୍ୟାଙ୍କ ୬୫ ହଜାର କୋଟି ଟଙ୍କା ଦେଇପାରେ। ସେମାନଙ୍କ ପୂର୍ବାନୁମାନକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଭୁଲ ପ୍ରମାଣିତ କରିଛି।

ରାଜସ୍ବ ଯୋଗାଡ଼ କରିବା ଲାଗି ସରକାର ଏବେ ସଂଘର୍ଷ କରୁଛନ୍ତି। ଏୟାର ଇଣ୍ଡିଆ, ବିପିସିଏଲ୍‌ ଓ ସିପିଙ୍ଗ୍‌ କର୍ପୋରେସନ୍ ଭଳି ସଂସ୍ଥାର ବିକ୍ରି ସଫଳ ହେଉନଥିବାରୁ ସରକାରଙ୍କ ଘ‌ରୋଇକରଣ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଅନ୍ୟ ପକ୍ଷରେ ଅର୍ଥନୈତିକ କାର୍ଯ୍ୟକଳାପ ଏକପ୍ରକାର ବନ୍ଦ ରହିଥିବାରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆୟ ମଧ୍ୟ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟା ଅଙ୍କର ପାଣ୍ଠି ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହି ଲକ୍ଷ୍ୟ ହାସଲ କରିବା ସରକାରଙ୍କ ପାଇଁ ସହଜ ହେବନି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଗତବର୍ଷ ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହୋଇଥିଲେ। କାରଣ ରାଜକୋଷର ଅଧିକାଂଶ ରାଶିକୁ ‌ବିଭିନ୍ନ ପ୍ରକାର ପ୍ୟାକେଜ୍ ଘୋଷଣା କରିବା ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ସହ ମହାମାରୀ ମୁକାବିଲାରେ ବ୍ୟୟ କରିବାକୁ ପଡ଼ିଥିଲା। ରେଟିଂ ଏଜେନ୍ସି ଇକ୍ରାର ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି ଯେ ଚଳିତ ବର୍ଷ ମେ’ ଓ ଜୁନ୍‌ରେ ପରୋକ୍ଷ ଟିସକ ସଂଗ୍ରହରେ ଯେଉଁ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି ସେହି କ୍ଷତିକୁ ରିଜର୍ଭ ବ୍ୟାଙ୍କର ପାଣ୍ଠି ଭରଣା କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର