କରୋନା ପାଇଁ ଶକ୍ତିକାନ୍ତଙ୍କ ମଲମ: ରେପୋ, ରିଭର୍ସ ରେପୋ ହାର ଅପରିବର୍ତ୍ତିତ, ଜିଡିପି ଅଭିବୃଦ୍ଧି ୧୦.୫% ଆକଳନ

ମୁମ୍ବାଇ: ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଦେଖାଦେଇଛି। ଦୈନିକ ସଂକ୍ରମଣ ବଢ଼ି ଚାଲିଥିବାବେଳେ ମୁଦ୍ରା ନୀତି କମିଟି ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରାଯାଇଛି। ପ୍ରଥମ ଲହର ପରେ ଅର୍ଥନୀତିର ସ୍ଥିତି ସୁଧୁରି ଆସୁଥିଲା। କିନ୍ତୁ ଦ୍ବିତୀୟ ଲହର ଏହାକୁ ବିଗାଡ଼ିବାକୁ ବସିଥିବାରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯଥାସମ୍ଭବ ଏହାର ପ୍ରକୋପକୁ କମ୍‌ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଯଦିଓ ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୧୦.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ତଥାପି କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଆରମ୍ଭ ହୋଇଯାଇଥିବାରୁ ମୁଦ୍ରନୀତି କମିଟି ଆଜି ରେପୋ ହାର, ରିଭର୍ସ ରେପୋ ହାର ଆଦିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିଛି। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୫.୨ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି। ପୂର୍ବରୁ ଏହା ୫.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା।

୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟିର ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି କମିଟିର ପଦକ୍ଷେପ ସଂପର୍କରେ ଘୋଷଣା କରିଛନ୍ତି। ରେପୋ ହାରକୁ ୪ ପ୍ରତିଶତରେ ଏବଂ ପଶ୍ଚାଦଗାମୀ ରେପୋ ହାରକୁ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। ଉଲ୍ଲେଖଯୋଗ୍ୟ ରେପୋ ହାରରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଋଣ ଯୋଗାଇ ଦେଇଥାଏ ଏବଂ ପଶ୍ଚାଦଗାମୀ ରେପୋ ହାରରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଜମା ବାବଦ ସୁଧ ପ୍ରଦାନ କରିଥାଏ। ତେବେ ‌ରେପୋ ଏବଂ ପଶ୍ଚାଦଗାମୀ ‌ରେପୋ ହାରକୁ ଅପରିବର୍ତ୍ତିତ ରଖାଯାଇଥିବାରୁ ଗ୍ରାହକମାନେ ନିକଟ ଭବିଷ୍ୟତରେ ଗାଡ଼ି ଏବଂ ଘର ଋଣ କମ୍‌ ସୁଧରେ ପାଇବା ସମ୍ଭାବନା କମ୍ ରହିଛି। ଗତବର୍ଷ ଫେବ୍ରୁଆରିରୁ ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ‌ଏକାଧିକ ପର୍ଯ୍ୟାୟରେ ରେପୋ ହାର ୧.୧୫ ପ୍ରତିଶତ ହ୍ରାସ କରିଛି। ଏହାଦ୍ବାରା ରେପୋ ହାର ଗତ ୧୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି।

ଟିଏଲ୍‌ଟିଆର୍‌ଓ ସ୍କିମ୍ ଅବଧି ୬ ମାସ ବଢ଼ିଲା
ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ଆଜି ଟିଏଲ୍‌ଟିଆର୍‌ଓ ସ୍କିମ୍‌ ଅବଧି ୬ ମାସ ବଢ଼ାଇ ଦେଇଛି। ଏହି ଯୋଜନାରେ ବ୍ୟାଙ୍କଗୁଡ଼ିକ ଜିଡିପି ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କ୍ଷେତ୍ର ପାଇଁ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ଏହି ସ୍କିମ୍‌ରେ ଯୋଗାଇ ଦେବା ସୁବିଧା ରହିଛି। ଉକ୍ତ ସ୍କିମ୍‌ରେ ବ୍ୟାଙ୍କ ଗୁଡ଼ିକ ଯେଉଁ ପାଣ୍ଠି ପାଇବେ ତାହାକୁ ଯଥା କୃଷି, କୃଷି-ଭିତ୍ତିଭୂମି, ରିଟେଲ-ଏମଏସଏମଇ, ଡ୍ରଗ୍ସ ଏବଂ ଫାର୍ମାକେୟାର ଭଳି ୫ଟି କ୍ଷେତ୍ରରେ ନିବେଶ କରିବେ। ଏହାର ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିବାବେଳେ ଆଜି ରିଜର୍ଭ ବ୍ୟାଙ୍କ ଏହାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛି।
ନାବାର୍ଡ, ଏନଏଚବି ଏବଂ ସିଡ୍‌ବିକୁ ୫୦ ହଜାର କୋଟି
ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ), ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନ୍‌ଏଚ୍‌ବି) ଏବଂ ସିଡ୍‌ବି ଭଳି ଋଣ ପ୍ରଦାନକାରୀ ସଂସ୍ଥାକୁ ୫୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ଆଜି ଘୋଷଣା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ। ୫୦ ହଜାର କୋଟି ଟଙ୍କା ମଧ୍ୟରୁ ନାବାର୍ଡକୁ ୨୫ ହଜାର କୋଟି, ଏନ୍‌ଏଚ୍‌ବିକୁ ୧୦ ହଜାର କୋଟି ଏବଂ ସିଡ୍‌ବିକୁ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ।
ରାଜ୍ୟଗୁଡ଼ିକର ୱେଜ୍ ଆଣ୍ଡ୍ ମିନ୍ସ ଅଗ୍ରିମ ସୀମା ୪୬% ବୃଦ୍ଧି
କରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବାବେଳେ ରାଜ୍ୟଗୁଡ଼ିକ ଯେଭଳି ଆର୍ଥିକ ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ ତାହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏମାନଙ୍କ ପାଇଁ ୱେଜ୍‌ ଆଣ୍ଡ୍ ମିନ୍ସ ଅଗ୍ରିମ ସୀମାକୁ ୪୬ ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ୱେଜ୍ ଆଣ୍ଡ୍ ମିନ୍ସ ଅଗ୍ରିମ ସୀମା ୪୭୦୧୦ କୋଟି ଟଙ୍କା ରହିଥିବାବେଳେ ଏହାକୁ ୫୧,୫୬୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଉକ୍ତ ସୀମାକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର