ଭୁବନେଶ୍ବର: ବାଲେଶ୍ବରରେ ଶାଲିମାର ପେଣ୍ଟ୍‌ସ ଏକ କାରଖାନା ବସାଇବ। କୋରାପୁଟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟିଜ୍‌ ଏକ ସୋଲାର ପିଭି ପାୱାର କାରଖାନା ସ୍ଥାପନ କରିବ। ରିଲାଏନ୍ସ ବାୟୋ ଏନର୍ଜି ଢେଙ୍କାନାଳ ଓ କଟକରେ ଦୁଇଟି କମ୍ପ୍ରେସଡ୍‌ ବାୟୋଗ୍ୟାସ୍ ପ୍ରକଳ୍ପ ସ୍ଥାପନ କରିବ। ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୪୦୬୬.୭୧ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୨୨ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

Advertisment

ଏହି ପ୍ରକଳ୍ପଗୁଡ଼ିକ ସବୁଜ ଶକ୍ତି, ରସାୟନ, ବୟନ, ଇସ୍ପାତ, ଲୁହା ଓ ଫେରୋ ଆଲଏଜ୍, ଆନୁଷଙ୍ଗିକ ଆଲୁମିନିୟମ, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପଗୁଡ଼ିକୁ ଖୋର୍ଦ୍ଧା, ବାଲେଶ୍ବର, କଟକ, ଯାଜପୁର, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ, ଅନୁଗୁଳ ଓ ନବରଙ୍ଗପୁରରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୫,୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସୂଚନା ଅନୁସାରେ, ୱାରି କ୍ଲିନ୍‌ ଏନର୍ଜି ସଲ୍ୟୁସନ୍ସ ୪୩୫ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଇଲେକ୍ଟ୍ରୋଲାଇଜର୍ ଉତ୍ପାଦନ କାରଖାନା ବସାଇବ। ଶାଲିମାର ପେଣ୍ଟ୍‌ସ ୧୩୫ କୋଟି ଟଙ୍କା ନିବେଶ କରି ପେଣ୍ଟ ଭାର୍ନିସ୍‌ ଓ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ। ଓଏଫ୍‌ବି ଟେକ୍ ୮୫୭ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ ବୟନ କାରଖାନା ବସାଇବ। ଏନ୍‌ରିଚ୍ କ୍ଲଥିଙ୍ଗ୍‌ କଟକରେ ୫୨.୫୦ କୋଟି ଟଙ୍କା ନିବେଶ କରିବ। ସାଲିମାର ୱାୟର୍ସ ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାରେ ୭୬ କୋଟି ଟଙ୍କା ଖଟାଇବ। ସେହିପରି, ବିଏମ୍‌ଡବ୍ଲୁ ଇଣ୍ଡଷ୍ଟ୍ରିଜ୍‌ ଯାଜପୁରରେ ୭୧୩ କୋଟି ଟଙ୍କା ନିବେଶ କରି ଏକ ଗାଲ୍‌ଭାନାଇଜ୍‌ଡ ପ୍ଲେନ୍ କଏଲ୍‌ କଲର୍‌ କୋଟିଂ ଲାଇନ୍ କୋଲ୍ଡ ରୋଲିଂ ମିଲ୍ ସ୍ଥାପନ କରିବ। ସିଗ୍‌ମା ପ୍ରୋଫାଇଲ୍‌ସ ସମ୍ବଲପୁରରେ ୫୪.୨୬ କୋଟି ଟଙ୍କା ନିବେଶ କରିବ। ‌ରିଲାଏନ୍ସ ବାୟୋ ଏନର୍ଜି ଢେଙ୍କାନାଳରେ ୧୨୧.୨୧ କୋଟି ଟଙ୍କା ଓ କଟକରେ ମଧ୍ୟ ୧୨୧.୨୧ କୋଟି ଟଙ୍କା ନିବେଶ କରି କମ୍ପ୍ରେସ୍‌ଡ ବାୟୋଗ୍ୟାସ୍ କାରଖାନା ବସାଇବ। ସେହିପରି ଆଦାନି ଟୋଟାଲ ଏନର୍ଜି ବାୟୋମାସ ସମ୍ବଲପୁରରେ ୧୩୬.୫୦ କୋଟି ଟଙ୍କା ନିବେଶ କରି କମ୍ପ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ବସାଇବ।

ବଜରଙ୍ଗବାଲି ମିନ୍‌ମେଟ୍‌ ସୁନ୍ଦରଗଡ଼ରେ ୫୨.୧୦ କୋଟି ଟଙ୍କା ନିବେଶ କରି ଇନ୍‌ଷ୍ଟାଣ୍ଟ ପାସ୍ତା ଓ ସିମେଇ ଉତ୍ପାଦନ କରିବ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ କୋରାପୁଟରେ ୨୦୦ କୋଟି ଟଙ୍କା ନିବେଶ କରି ସୋଲାର୍‌ ପିଭି ପାୱାର୍‌ ଏବଂ ଟାଟା ଷ୍ଟିଲ୍ ସୁନ୍ଦରଗଡ଼ରେ ୧୨୫.୬୯ କୋଟି ଟଙ୍କା ନିବେଶ କରି ୨୨ ମେଗାୱାର ‌ସୋଲାର୍‌ ପିଭି ପାୱାର୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବେ। ପାଇନ୍‌ ସ୍କୋୟାର ଏଲ୍‌ଏଲ୍‌ପି ଓ ଏକେ ଦାସ ଆସୋସିଏଟ୍‌ସ ଯଥାକ୍ରମେ ୧୧୦ କୋଟି ଟଙ୍କା ଏବଂ ୫୧.୫୨ କୋଟି ଟଙ୍କା ନିବେଶ କରି ଆଇଟି ପାର୍କ ସ୍ଥାପନ କରିବେ। ଗଞ୍ଜାମରେ ଜିଓ ଇମ୍ପେକ୍ସ ଆଣ୍ଡ୍‌ ଲଜିଷ୍ଟିକ୍ସ ୨୦୭ କୋଟି ଟଙ୍କା, ଅନୁଗୁଳରେ କୋଲି କମର୍ସିଆଲ ୭୧.୧୨ କୋଟି ଟଙ୍କା, ନବରଙ୍ଗପୁରରେ ଓଏଫ୍‌ବି ଟେକ୍ ୧୫୦ କୋଟି ଟଙ୍କା, ଏସ୍‌ଏସ୍‌ଆଇଏଲ୍‌ ପେଣ୍ଟ୍‌ ଇଣ୍ଡଷ୍ଟ୍ରିଜ୍‌ ଖୋର୍ଦ୍ଧାରେ ୧୫୦ କୋଟି ଟଙ୍କା ଏବଂ କାର୍ବନ ଇଣ୍ଡିଆ ଝାରସୁଗୁଡ଼ାରେ ୧୦୦ କୋଟି ଟଙ୍କା ନିବେଶ କରିବେ। ଶ୍ୟାମ ଷ୍ଟିଲ୍‌ ଫେବ୍ରିକେସନ ଓ ରାଇସ୍ ଲେକ୍ ୱେଇଂ ସିଷ୍ଟମ୍‌ସ ପକ୍ଷରୁ ଖୋର୍ଦ୍ଧା‌ରେ ଯଥାକ୍ରମେ ୯୦ କୋଟି ଟଙ୍କା ଓ ୫୧ କୋଟି ଟଙ୍କା ନିବେଶ କରାଯିବ।