ମୁମ୍ବାଇ: ବଜେଟ୍ ଘୋଷଣା ହେବା ପରଠାରୁ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସରେ ଯେଉଁ ଅସ୍ଥିରତା ଦେଖାଦେଇଛି ସେଥିରେ ବ୍ରେକ୍ ଲାଗୁନାହିଁ। ଆଜି ସେୟାର ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ୧୨୭୫ ପଏଣ୍ଟ୍ ତଳକୁ ଖସିଯାଇଥିଲା। ଏହାକୁ ନେଇ ନିବେଶକମାନଙ୍କ ମନରେ ପ୍ରବଳ ଭୟ ସୃଷ୍ଟି ହୋଇଥିଲା। ସେମାନେ ବିପୁଳ ପରିମାଣର ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ। ମାତ୍ର କିଛି ସେକେଣ୍ଡ୍ ଭିତରେ ନିବେଶକମାନଙ୍କ ୫ ଲକ୍ଷ ୪୦ ହଜାର କୋଟି ଟଙ୍କା ଉଭାନ ହୋଇଯାଇଥିଲା।
ଅବଶ୍ୟ ଷ୍ଟକ ବଜାର ବନ୍ଦ ହେବା ବେଳକୁ ଏହି କ୍ଷତି ଅନେକାଂଶରେ ଭରଣା ହୋଇଯାଇଥିଲା। ନିବେଶକମାନଙ୍କର ମୋଟ ଉପରେ ଆଜି ୨ ଲକ୍ଷ ୭୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି। କିନ୍ତୁ, ବିଗତ ୬ଟି କାରବାର ଦିନ ଭିତରେ ସେମାନଙ୍କର ମୋଟ ୧୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ଉଭାନ ହୋଇଯାଇଛି।
ଆଜି ଦିନ ସାରା କାରବାର ସମୟରେ ସେନ୍ସେକ୍ସରେ ୭୫୦ ପଏଣ୍ଟ ପାଖାପାଖି ସୁଧାର ହୋଇଥିଲା। ଷ୍ଟକ ବଜାର ବନ୍ଦ ହେବା ବେଳକୁ ସେନ୍ସେକ୍ସ ଗତକାଲିର ବନ୍ଦ ତୁଳନାରେ ୫୬୧ ପଏଣ୍ଟ୍ ହ୍ରାସ ପାଇ ୩୪,୧୯୬ ପଏଣ୍ଟ୍ରେ ବନ୍ଦ ହୋଇଛି।
ଗତକାଲି ସେନ୍ସେକ୍ସରେ ୩୦୯ ପଏଣ୍ଟ୍ ଏବଂ ବଜେଟ୍ ପର ଦିନ ୮୩୯ ପଏଣ୍ଟ୍ର ହ୍ରାସ ହୋଇଥିଲା। ତିନି ଦିନ ଭିତରେ ସେନ୍ସେକ୍ସ ମୋଟ ୧୭୧୦ ପଏଣ୍ଟ୍ ହରାଇଛି। ମଙ୍ଗଳବାର ସୁଦ୍ଧା ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ସବୁ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି
ନିବେଶକ ସୁନା ମୁହାଁ
ମୁମ୍ବାଇ, ୬/୨: ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ନିବେଶକମାନେ ସୁନା ଆଡକୁ ମୁହାଁଇଛନ୍ତି। ଏହାର ପ୍ରଭାବରେ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ଆଜି ୩୩୦ ଟଙ୍କା ବୃଦ୍ଧି ପାଇ ୩୧,୬୦୦ ଟଙ୍କାରେ ପହଞ୍ଚିଛି। ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ଭାବେ ସବୁ ବେଳେ ବିଚାର କରାଯାଏ। ଯେତେବେଳେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ ସେହି ସମୟରେ ସୁନାର ଚମକ ବଢ଼ିଥାଏ। ଅର୍ଥାତ ନିବେଶକମାନେ ସୁନା କିଣିବା ଆରମ୍ଭ କରିଦେଇଥାନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱରେ ସୁନାର ଚମକ ଫେରିଛି। ଯେହେତୁ ସାରା ବିଶ୍ୱର ଇକ୍ୱିଟି ବଜାରରେ ଝଡ଼ ଦେଖାଦେଇଛି ତେଣୁ ନିବେଶକମାନେ ସୁନା ମୁହାଁ ହେବା ସ୍ୱାଭାବିକ। ସିଙ୍ଗାପୁରରେ ସୁନାର ଆଉନ୍ସ ପିଛା ଦର ୧୩୪୨ ଡଲାରକୁ ବୃଦ୍ଧି ପାଇଛି। ରୁପାର ଆଉନ୍ସ ପିଛା ଦର ୧୬.୮୫ ଡଲାର ହୋଇଛି। ଭାରତରେ ରୁପାର କିଲୋଗ୍ରାମ ପିଛା ଦର ୪୦ ହଜାର ଟଙ୍କା ହୋଇଯାଇଛି। ଭାରତରେ ସୁନା ମୂଲ୍ୟରେ ଯେଉଁ ବୃଦ୍ଧି ଦେଖାଦେଇଛି ତାହାର କାରଣ ଜୁଏଲାରି ସଂସ୍ଥାଗୁଡ଼ିକ ପକ୍ଷରୁ ବିପୁଳ ମାତ୍ରାରେ ଖରିଦ କରାଯାଉଥିବା ସୁନା ବୋଲି କୁହାଯାଇଛି। କାରଣ ଆଗାମୀ ବିବାହ ଋତୁର ଆବଶ୍ୟକତା ପୂରଣ କରିବା ପାଇଁ ଜୁଏଲାରି ସଂସ୍ଥାଗୁଡ଼ିକ ସୁନା ଖରିଦ କରୁଥିବା କୁହାଯାଇଛି। ସେହିପରି ଶିଳ୍ପ ସଂସ୍ଥାଗୁଡ଼ିକ ପକ୍ଷରୁ ବିପୁଳ ପରିମାଣର ରୁପା କିଣାଯାଉଥିବାରୁ ତାହାର ମୂଲ୍ୟ ବଢ଼ିଛି।
ପରିମାଣ ୧,୪୫,୨୨,୮୩୦ କୋଟି ଟଙ୍କାକୁ ହ୍ରାସ ପାଇଛି।
ବିଶ୍ୱ ସ୍ତରର ଷ୍ଟକ ବଜାରଗୁଡ଼ିକରେ କାରବାର ଭଲ ନରହିବାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିଛି। ଆମେରିକାର ଷ୍ଟକ ବଜାରରେ ଦେଖାଦେଇଥିବା ଝଡ଼ ଯୋଗୁଁ ସମଗ୍ର ବିଶ୍ୱର ଷ୍ଟକ ବଜାର ଦୋହଲିଯାଇଛି। ସେଥିରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ ମଧ୍ୟ ବାଦ ପଡ଼ିନାହିଁ। ଏସିଆର ଅଧିକାଂଶ ଷ୍ଟକ ବଜାର ସୂଚୀ ହ୍ରାସ ସହ ବନ୍ଦ ହୋଇଛି।
ବଜେଟ୍୍ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଦୀର୍ଘମିଆଦୀ ପୁଞ୍ଜି ଲାଭ (ଏଲ୍ଟିସିଜି) ଟିକସ ଘୋଷଣା କରିବା ପରେ ନିବେଶକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେହି କାରଣ ଯୋଗୁଁ ସେନ୍ସେକ୍ସ ହ୍ରାସ ପାଉଛି ବୋଲି ଅନୁମାନ କରାଯାଉଛି। ମାତ୍ର ଆଜିର ହ୍ରାସ ସମ୍ପୂର୍ଣ୍ଣ ରୂପେ ଆମେରିକା ଷ୍ଟକ ବଜାରରେ ସୃଷ୍ଟି ହୋଇଥିବା ଝଡ଼ର ପ୍ରଭାବ ଥିଲା ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଜି ଅର୍ଥ ସଚିବ ହସମୁଖ ଅଧିଆ ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ଯେ ବିଶ୍ୱ ବଜାରରେ ଅସ୍ଥିରତା ଯୋଗୁଁ ସେନ୍ସେକ୍ସ ହ୍ରାସ ପାଇଛି।
ବିଶ୍ୱର ଧନୀମାନେ ହରାଇଲେ ୧୧୪ ବିଲିଅନ ଡଲାର
ଓ୍ଵାସିଂଟନ, ୬/୨: ଆମେରିକାର ସେୟାର ବଜାର ସୂଚୀ ଡାଓ ଜୋନ୍ସରେ ସୋମବାର କିଛି ସମୟ ପାଇଁ ୧୬୦୦ ପଏଣ୍ଟ୍ ହ୍ରାସ ହେବା ଯୋଗୁଁ ବିଶ୍ୱର ଶ୍ରେଷ୍ଠ ୫୦୦ ଧନୀ ବ୍ୟକ୍ତି ୧୧୪ ବିଲିଅନ ଡଲାର ହରାଇଛନ୍ତି। ଅବଶ୍ୟ ପରେ ଡାଓ ଜୋନ୍ସରେ କିଛିଟା ସୁଧାର ଆସି ପୂର୍ବ କାରବାର ଦିବସ ତୁଳନାରେ ୧୧୭୫ ପଏଣ୍ଟ କମ୍ରେ ବନ୍ଦ ହୋଇଥିଲା। ବିଗତ ୬ ବର୍ଷ ଭିତରେ ଡାଓ ଜୋନ୍ସରେ ଏଭଳି ହ୍ରାସ କେବେ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୨୦୧୧ ଅଗଷ୍ଟରେ ଏଭଳି ହ୍ରାସ ହୋଇଥିଲା। ଆମେରିକାର ଫେଡେରାଲ୍ ରିଜର୍ଭ ଆସନ୍ତା ମାସରୁ ସୁଧ ହାର ବୃଦ୍ଧି କରିବ ବୋଲି ଖବର ପ୍ରଚାରିତ ହେବା ପରେ ନିବେଶକମାନେ ଆଗୁଆ ଲାଭ ପାଇବା ଆଶାରେ ସେୟାର ବିକ୍ରି କରିଦେଇଥିଲେ। ଏହାର ପ୍ରଭାବରେ ଡାଓ ଜୋନ୍ସ ଖସିଯାଇଥିଲା। ବିଶ୍ୱର ତୃତୀୟ ବଡ଼ ଧନୀ ଓ୍ଵାରେନ୍ ବଫେ, ଆମାଜନ୍ର ସିଇଓ ଜେଫ୍ ବେଜୋସ୍, ଫେସବୁକ୍୍ର ମାର୍କ ଜୁକରବର୍ଗ ଏବଂ ଗୁଗୁଲ୍ର ଲାରି ପେଜ୍ ଏବଂ ସର୍ଜି ବ୍ରିନ୍ ଷ୍ଟକ ବଜାରରେ ବିପୁଳ ପରିମାଣର କ୍ଷତି ସହିଛନ୍ତି।