ଉପର ମୁହାଁ ଭାରତୀୟ ସେୟାର ବଜାର: ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ 

ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ହୋଇ ପଡ଼ିଥିବା ଭାରତୀୟ ସେୟାର ବଜାର ଯେ ବର୍ଷକ ଭିତରେ ଏପରି ବୃଦ୍ଧି ପାଇବ, ହୁଏତ ଅନେକ ଲୋକ ଆଶା କରି ପାରି ନଥିବେ । ମାତ୍ର ୧୦ ମାସ ଭିତରେ ପ୍ରାୟ ଦୁଇ ଗୁଣା ହୋଇଯାଇଛି ସେନସେକ୍ସ । ଦେଶରେ କରୋନା ମହାମାରୀ ଆସିବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ୨୫,୯୮୧ ପଏଣ୍ଟକୁ ଖସି ଆସିଥିଲା ସେନସେକ୍ସ ।

ଆଜି ସକାଳ ବେଳା କାରବାରରେ ମ୍ୟାଜିକ୍ ପଏଣ୍ଟ ୫୦ ହଜାରକୁ ଛୁଇଁଥିଲା ବଜାର । ଯାହା ସେୟାର ମାର୍କେଟ ଇତିହାସରେ ଏକ ସ୍ମରଣୀୟ ରେକର୍ଡ ହୋଇରହିବ । ୨୦୨୦ ମାର୍ଚ୍ଚ ମାସରୁ ୨୦୨୧ ଜାନୁଆରି ମଧ୍ୟରେ ଲମ୍ବା ଯାତ୍ରା କରିଛି ଭାରତୀୟ ସେୟାର ବଜାର । କିପରି ୧୦ ମାସ ଭିତରେ ବଜାର ଗତି କରିଛି, ତାହା ଏହି ଗ୍ରାଫିକସରୁ ଆପଣ ଅନୁମାନ କରିପାରୁଥିବେ । ହାରାହାରି ପ୍ରତି ମାସରେ ପ୍ରାୟ ଅଢ଼େଇ ହଜାର ପଏଣ୍ଟ ବୃଦ୍ଧି ପାଇଛି ସେନସେକ୍ସ ।

ଆଜି କାରବାର ଆରମ୍ଭରୁ ଆକାଶ ମୁହାଁ ହୋଇଥିଲା ମାର୍କେଟ । ତେବେ ପରବର୍ତ୍ତୀ ସମୟରେ ୧୬୭ ପଏଣ୍ଟ ହ୍ରାସ ପାଇ ୪୯, ୬୨୫ ପଏଣ୍ଟରେ ବନ୍ଦ ହୋଇଥିଲା ସେନସେକ୍ସ । ସେହିପରି ନିଫ୍ଟି ୫୪ ପଏଣ୍ଟ ହ୍ରାସ ପାଇ ୧୪,୫୯୦ରେ ବନ୍ଦ ହୋଇଥିଲା । ତେବେ କିଛି ଦିନ ଧରି ସେୟାର ବଜାରର ବୃଦ୍ଧି ଅନେକ ନିବେଶକଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି । ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ।

ସେନସେକ୍ସର ପ୍ରଥମ ୧ ହଜାର ପଏଣ୍ଟ ପାଇଁ ୧୯୭୯ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଅର୍ଥାତ ୧୧ ବର୍ଷ ଲାଗିଥିଲା । ୧୯୯୯ରେ ୫୦୦୦ ପଏଣ୍ଟରେ ପହଁଚିଥିଲା ସେନସେକ୍ସ । ପାଖାପାଖି ୯ ବର୍ଷ ସମୟ ନେଇଥିଲା । ୨୦୦୬ରେ ପହଁଚିଥିଲା ୧୦ ହଜାର ପଏଣ୍ଟରେ । ତେବେ ୨୦୦୭ରେ ସେନସେକ୍ସ ପହଁଚି ଯାଇଥିଲା ୨୦ ହଜାର ପଏଣ୍ଟରେଟରେ । ତେବେ ୨୦୦୮ ମାନ୍ଦାବସ୍ଥା ଯୋଗୁଁ ପରବର୍ତି ୧୦ ହଜାର ପଏଂଟ ପାଇଁ ପ୍ରାୟ ୮ ବର୍ଷ ଲାଗି ଯାଇଥିଲା । ୨୦୧୫ରେ ପହଁଚିଥିଲା ୪୦ ହଜାର ପଏଣ୍ଟରେ । ଏହା ପରେ ୨୦୨୧ ମସିହାର ଜାନୁଆରି ୨୧ ତାରିଖ ସ୍ମରଣୀୟ ହୋଇ ରହିବ । ୫୦ ହଜାର ପଏଣ୍ଟଛୁଇଁଥିଲା ସେନସେକ୍ସ ।

କରୋନା କାଳରେ ସେନସେକ୍ସ

୨୦୨୦ ମାର୍ଚ୍ଚ ୨୩ – ୨୫,୯୮୧

୨୦୨୦ ମେ’ ୨୧ – ୩୦,୯୩୨

୨୦୨୦ ଜୁଲାଇ ୨୧ – ୩୭, ୯୩୦

୨୦୨୦ ସେପ୍ଟେମ୍ବର ୨୧ – ୩୮,୦୩୪

୨୦୨୦ ନଭେମ୍ବର ୨୩ – ୪୪,୦୭୭

୨୦୨୧ ଜାନୁଆରୀ ୨୧ – ୪୯,୬୨୪

କେମିତି ଗତି କରିଛି ସେନସେକ୍ସ ?

୧୯୯୦ – ୧୦୦୦

୧୯୯୯ – ୫୦୦୦

୨୦୦୬ – ୧୦,୦୦୦

୨୦୦୭ – ୨୦,୦୦୦

୨୦୧୫ – ୩୦,୦୦୦

ମେ’ ୨୦୧୯ – ୪୦,୦୦୦

ଜାନୁଆରି ୨୦୨୧ – ୫୦,୦୦୦

ସମ୍ବନ୍ଧିତ ଖବର