ସେୟାର ବଜାର ଅସ୍ଥିର: ଫେରୁନି ନିବେଶକଙ୍କ ଭରସା

ଭାରତ ଛାଡ଼ିପାରନ୍ତି ବିଦେଶୀ ନିବେଶକ

ଭୁବନେଶ୍ୱର: ବଜେଟ୍‌ରେ ଘୋଷିତ ଦୀର୍ଘମିଆଦୀ ପୁଞ୍ଜି ଲାଭ(ଏଲ୍‌ଟିସିଜି) ଟିକସ ଷ୍ଟକ ମାର୍କେଟକୁ ଗତ ଶୁକ୍ରବାର ଧରାଶାୟୀ କରିଥିଲା। ସେନ୍‌ସେକ୍ସରେ ୮୩୯ ପଏଣ୍ଟର ହ୍ରାସ ଯୋଗୁଁ ନିବେଶକ ହରାଇଥିଲେ ପ୍ରାୟ ୫ ଲକ୍ଷ କୋଟି ଟଙ୍କା। ଶନିବାର ଓ ରବିବାର ଛୁଟିଦିନ ଥିବାରୁ ସୋମବାର ଷ୍ଟକ ମାର୍କେଟ ଖୋଲିବ। ସୋମବାର ଷ୍ଟକ ମାର୍କେଟ କେଉଁ ଦିଗରେ ଗତି କରିବ ତାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଆସନ୍ତାକାଲି ଷ୍ଟକ ବଜାର ଅସ୍ଥିର ରହିବ ବୋଲି ଅଧିକାଂଶ ବିଶେଷଜ୍ଞ ମତ ଦେଇଛନ୍ତି। ନିବେଶକଙ୍କ ମନରେ ଏବେ ବି ଅନିଶ୍ଚିତତା ଲାଗି ରହିଛି। ସେମାନଙ୍କ ଭରସା ଫେରି ପାରୁନାହିଁ। ବିଶେଷଜ୍ଞମାନଙ୍କ ମତରେ ଭାରତୀୟ ଷ୍ଟକ ମାର୍କେଟରେ ଗତ ଶୁକ୍ରବାର ଯେଉଁ ନିରାଶାଭାବ ଦେଖାଦେଇଛି ତାହା ଆଉ କିଛିଦିନ ଲାଗି ରହିପାରେ। ଏପରିକି ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସେନ୍‌ସେକ୍ସ ୧୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଖସିଯିବା ଆଶଙ୍କା ରହିଛି। ଏହାକୁ ବିଶ୍ୱାସ କରାଗଲେ ସେନ୍‌ସେକ୍ସରେ ପ୍ରାୟ ୩୬୦୦ ପଏଣ୍ଟ ପାଖାପାଖି ହ୍ରାସ ଦେଖାଦେଇପାରେ। ଏହା ହେଲେ ସେନ୍‌ସେକ୍ସ ପୁଣି ୩୨ ହଜାର ପଏଣ୍ଟ ସ୍ତରକୁ ମଧ୍ୟ ଖସିଯାଇପାରେ। ସେହିଭଳି ଅନ୍ୟ ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ ଯେତେବେଳେ ଏକ ନୂଆ ନିଷ୍ପତ୍ତି ନିଆଯାଏ ତାହାର ପ୍ରଭାବ ଷ୍ଟକ ମାର୍କେଟ ଉପରେ ପଡ଼ିଥାଏ। ତାହା ଦୂର ହେବାକୁ କିଛିଦିନ ଲାଗିଥାଏ। ତେଣୁ ଏ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ। ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଭାରତୀୟ ଅର୍ଥନୀତିର ମୂଳଦୁଆ ଭଲ ଅଛି। ଦୀର୍ଘ ମିଆଦୀ ଲାଭ ଟିକସକୁ ନେଇ ଯେଉଁ ଭୟ ନିବେଶକଙ୍କ ମଧ୍ୟରେ ଦେଖାଦେଇଛି ତାହା କିଛିଦିନ ମଧ୍ୟରେ ଦୂର ହୋଇଯିବ ଏବଂ ବଜାରରେ ସ୍ଥିରତା ଆସିଯିବ। ତେବେ ଏଥିପାଇଁ ପ୍ରାୟ ୧୫ ଦିନ ସମୟ ଲାଗିଯାଇପାରେ ବୋଲି ସେ ମତ ଦେଇଛନ୍ତି। ତେବେ ଲୋକମାନେ ପୁଞ୍ଜି ବଜାରରେ ସେମାନଙ୍କ ନିବେଶ ଜାରି ରଖିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ଟିକସ ବିଶେଷଜ୍ଞ ଅରୁଣ କୁମାର ସାବତ୍‌ କହିଛନ୍ତି, ଦୀର୍ଘ ବର୍ଷ ହେଲା ଏହି ଟିକସ ଆମ ଦେଶରେ ନଥିଲା। ସରକାର ହଠାତ୍‌ ଏହି ଟିକସ ଲଗାଇଦେବା ଯୋଗୁଁ ବିଦେଶୀମାନେ ଆମ ଦେଶର ବଜାରରୁ ଟଙ୍କା ଉଠାଇ ନେବା ଆରମ୍ଭ କରିଦେଇଛନ୍ତି। ନିବେଶକମାନଙ୍କୁ ସରକାରଙ୍କର ଏହି ଟିକସ ପ୍ରସ୍ତାବ ଧକ୍କା ଦେଇଥିବାରୁ ନିବେଶକଙ୍କ ମନୋବଳ ଭାଙ୍ଗିଯିବ ଓ ଭାରତୀୟ ପୁଞ୍ଜି ବଜାର କ୍ଷତି ସହିବ ବୋଲି ସେ କହିଛନ୍ତି। ଯେଉଁ ଦେଶରେ ଏହି ଟିକସ ନାହିଁ ବିଦେଶୀ ନିବେଶକମାନେ ମଧ୍ୟ ସେଠାକୁ ଚାଲିଯାଇପାରନ୍ତି ବୋଲି ସେ କହିଛନ୍ତି। ତେବେ ସରକାର ଏହି ଟିକସ ଲାଗୁ ପାଇଁ ୧୨ ମାସର ସମୟସୀମା ପରିବର୍ତେ ୨୪ ମାସ କରିଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ସେହିଭଳି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଧୁଭୂଷଣ ନାୟକ କହିଛନ୍ତି, ବଜେଟ୍‌ରେ କୌଣସି ନୂଆ ପ୍ରସ୍ତାବ ଆସିଲେ ନିବେଶକମାନେ ହଠାତ୍‌ ତାହାକୁ ବୁଝିପାରନ୍ତି ନାହିଁ। ଚଳିତବର୍ଷ ଠିକ୍‌ ସେହି ପରିସ୍ଥିତି ସୃଷ୍ଟି ହୋଇଛି। ନିବେଶକମାନେ ଟିକସ ପ୍ରସ୍ତାବକୁ ବୁଝିଗଲେ ପରିସ୍ଥିତିରେ ସୁଧାର ଆସିଯିବ ଏବଂ ପୁଞ୍ଜି ବଜାର ଠିକ୍‌ ହୋଇଯିବ ସେ କହିଛନ୍ତି। ସେୟାର ଖାନ୍‌ର ବରିଷ୍ଠ ଅଧିକାରୀ ଦିବ୍ୟେନ୍ଦୁ ସାହୁ ଓ ସାର୍ଟିଫାଏଡ ଫାଇନାନ୍ସିଆଲ ପ୍ଲାନର ରୂପ୍‌ କୁମାର ପ୍ରଧାନ ମଧ୍ୟ ଏ ନେଇ ସମାନ ପ୍ରକାର ମତ ରଖିଛନ୍ତି।

ପୁଞ୍ଜି ଲାଭ ଉପରେ ଏସବୁ ଟିକସ
ପୁଞ୍ଜି ଲାଭ ଉପରେ ନିବେଶକମାନେ ସାଧାରଣତଃ ତିନି ଚାରି ପ୍ରକାର ଟିକସ ଦେଇଥାନ୍ତି। ସେଗୁଡ଼ିକ ହେଲା ସିକ୍ୟୁରିଟିଜ୍‌ କାରବାର ଟିକସ, ସ୍ୱଳ୍ପମିଆଦୀ ପୁଞ୍ଜିଲାଭ ଟିକସ, ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ ଏବଂ ଲାଭାଂଶ ବଣ୍ଟନ ଟିକସ। ୧ ବର୍ଷରୁ କମ୍‌ ସମୟ ମଧ୍ୟରେ ନିବେଶକମାନେ ସେୟାରରୁ ଲାଭ ସଂଗ୍ରହ କରୁଥିଲେ ସେମାନଙ୍କୁ ୧୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଛି। ଏବେ ୧ ବର୍ଷ ପରେ ୧ ଲକ୍ଷ ଟଙ୍କାରୁ ଅଧିକ ଲାଭ ସଂଗ୍ରହ କରିଲେ ସେମାନଙ୍କୁ ୧୦ ପ୍ରତିଶତ ଟିକସ ଦେବାକୁ ହେବ।

କାହିଁକି ବନ୍ଦ ହୋଇଥିଲା
ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସକୁ ପ୍ରୋତ୍ସାହନ ଦେବା ପାଇଁ ୨୦୦୪-୦୫ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଏହି ଟିକସକୁ ପ୍ରତ୍ୟାହାର କରିନେଇଥିଲେ। ଦୀର୍ଘଦିନ ପାଇଁ ନିବେଶକମାନେ ସେମାନଙ୍କ ଅର୍ଥକୁ ବଜାରରେ ନିବେଶ କରିଲେ ତାହା ଦେଶର ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ। କିନ୍ତୁ ସ୍ୱଳ୍ପମିଆଦୀ ପୁଞ୍ଜି ଲାଭକୁ ନିରୁତ୍ସାହିତ କରିବା ଲାଗି ଏହା ଉପରେ ଟିକସ ଆଦାୟ ଜାରି ରହିଛି।

ସମ୍ବନ୍ଧିତ ଖବର