କୋଲ୍‌ ଇଣ୍ଡିଆ ସହ ୩ ଉଦ୍ୟୋଗର ଅଂଶଧନ ବିକ୍ରି ହେବ

ସରକାର ପାଇବେ ୧୬,୫୦୦ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନିଟି ସରକାରୀ ଉଦ୍ୟୋଗର ଅଂଶଧନ ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ସେହି ଉଦ୍ୟୋଗଗୁଡ଼ିକ ହେଉଛି କୋଲ୍‌ ଇଣ୍ଡିଆ, ହିନ୍ଦୁସ୍ତାନ ଜିଙ୍କ୍‌ ଓ ରାଷ୍ଟ୍ରୀୟ କେମିକାଲ୍‌ସ। ଏହି କଂପାନିର ୫-୧୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଅଫର ଫର ସେଲ୍‌ ମାଧ୍ୟମରେ ଷ୍ଟକ ବଜାର ଜରିଆରେ କଂପାନିଗୁଡ଼ିକର ଅଂଶଧନ ବିକ୍ରି କରାଯିବ। ବ୍ଲୁମ୍‌ବର୍ଗ ପକ୍ଷରୁ କରାଯାଇଥିବା ଅନୁସାରେ ତିନି ସରକାରୀ ଉଦ୍ୟୋଗରୁ ହେବାକୁ ଥିବା ପୁଞ୍ଜି ପ୍ରତ୍ୟାହାରରୁ ସରକାର ୧୬,୫୦୦ କୋଟି ଟଙ୍କା ପାଇବେ।

ବର୍ତ୍ତମାନ ଦେଶର ଷ୍ଟକ ବଜାର‌ କାରବାର ବେଶ ଉତ୍ସାହଜନକ ଥିବା ବେଳେ ଗତ ତ୍ରୈମାସିକରେ କଂପାନିଗୁଡ଼ିକର ବ୍ୟାବସାୟିକ ଫଳାଫଳ ମଧ୍ୟ ଭଲ ରହିଛି। ବର୍ତ୍ତମାନ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ବଳରେ ସେୟାର ବିକ୍ରି କରି ଅଧିକ ପାଣ୍ଠି ହାସଲ କରିହେବ ବୋଲି ସରକାର ଭାବୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣରୁ ୬୫,୦୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଲକ୍ଷ୍ୟର ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରିନାହିଁ। ତିନି ସରକାରୀ ଉଦ୍ୟୋଗର ଅଂଶଧନ କିଣିବା ଲାଗି ନିବେଶକମାନଙ୍କ ମଧ୍ୟରେ କିଭଳି ଆଗ୍ରହ ରହିଛି ତାହା ଜାଣିବା ଲାଗି ରୋଡ୍‌ ସୋ’ ଆୟୋଜନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର