ମନମୋହନଙ୍କ ପରେ ଶକ୍ତିକାନ୍ତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ନୂଆ ରେକର୍ଡ ଯୋଡ଼ି ହେବାକୁ ଯାଉଛି। ସେ ଦେଶର ଦ୍ବିତୀୟ ବ୍ୟକ୍ତି ଯାହାଙ୍କ ଦସ୍ତଖତ ଉଭୟ ବଡ଼ ନୋଟ୍ ଓ ଟଙ୍କିକିଆ ନୋଟ୍‌ରେ ରହିବ। ପୂର୍ବରୁ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରୁଥିବା ବେଳେ ତାଙ୍କ ଦସ୍ତଖତ ଟଙ୍କିକିଆ ନୋଟ୍‌ରେ ବ୍ୟବହାର କରାଯାଇଛି। ଟଙ୍କିକିଆ ‌ନୋଟ୍‌କୁ ସରକାର ୧୯୯୪ରେ ବନ୍ଦ କରିଦେଇଥିଲେ। ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ୨୦୧୫ରେ ପୁଣି ଥରେ ଟଙ୍କିକିଆ ନୋଟ୍‌ର ପ୍ରଚଳନ କରାଯାଇଥିଲା। ଟଙ୍କିକିଆ ନୋଟ୍‌ର ମାଲିକ ହେଉଛନ୍ତି କେନ୍ଦ୍ର ସରକାର। ସେଥିରେ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ଦସ୍ତଖତ ରହିଥାଏ। ଅନ୍ୟ ସବୁ ପ୍ରକାର ବଡ଼ ନୋଟ୍‌ରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଥାଏ। ସେହି ସବୁ ନୋଟ୍‌ର ମାଲିକ ହେଉଛନ୍ତି ରିଜର୍ଭ ବ୍ୟାଙ୍କ। ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟା‌ଙ୍କ ଗଭର୍ଣ୍ଣର ଭାବେ ଅବସ୍ଥାପିତ କରାଯାଇଥିବାରୁ ତାଙ୍କ ଦସ୍ତଖତ ଖୁବଶୀଘ୍ର ବଡ଼ ନୋଟ୍‌ଗୁଡ଼ିକରେ ଦେଖିବାକୁ ମିଳିବ। ତେବେ କେବେ ସେହି ନୋଟ୍‌ଗୁଡ଼ିକ ଆସିବ ତାହାର ଦିନ ଧାର୍ଯ୍ୟ ହୋଇନାହିଁ। ପୂର୍ବରୁ ଏହି ରେକର୍ଡ କେବଳ ଡକ୍ଟର ମନମୋହନ ସିଂହଙ୍କ ନାମରେ ଥିଲା। ମନମୋହନ ଉଭୟ ଅର୍ଥ ମନ୍ତ୍ରଣାଳୟ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରିଛନ୍ତି। ତାଙ୍କ ପରେ ଦେଶର ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି ଶକ୍ତିକାନ୍ତ, ଯାହାଙ୍କୁ ଉଭୟ ଅର୍ଥ ମନ୍ତ୍ରଣାଳୟର ସଚିବ ଓ ରିଜର୍ଭ ବ୍ୟା‌ଙ୍କର ଗଭର୍ଣ୍ଣର ଭାବେ କାମ କରିବାର ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର